Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

RTI ଆଇନର ଦୁରୁପଯୋଗ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ

ନୂଆଦିଲ୍ଲୀ: ସୂଚନା ଅଧିକାର (RTI) ଆଇନର ବ୍ୟବହାର ବର୍ତ୍ତମାନ ସମୟରେ କେତେକ ଲୋକଙ୍କ ପାଇଁ ଏକ “ନୂଆ ବ୍ୟବସାୟ”ରେ ପରିଣତ ହୋଇଯାଇଛି ବୋଲି ସୋମବାର ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି। ଜଣେ RTI କର୍ମୀଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ସମୟରେ ନ୍ୟାୟମୂର୍ତ୍ତି ସନ୍ଦୀପ ମେହେଟ୍ଟା ଏବଂ ନ୍ୟାୟମୂର୍ତ୍ତି ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ ଏହି ମତ ପ୍ରକାଶ କରିଛନ୍ତି।

ମାମଲା ଅନୁଯାୟୀ, ରାସ୍ତା ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଆକ୍ରମଣ କରିବା ଏବଂ ଶ୍ରମିକମାନଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ଦେବା ଅଭିଯୋଗରେ RTI କର୍ମୀ ରାକେଶ କୁମାର ବହଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ପଞ୍ଜାବ ଓ ହରିୟାଣା ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟର ଶରଣାପନ୍ନ ହୋଇଥିଲେ। ଶୁଣାଣି ବେଳେ ଖଣ୍ଡପୀଠ RTI କର୍ମୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ, ରାସ୍ତା ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଓ ତଦାରଖ କରିବା ସରକାରଙ୍କ ଦାୟିତ୍ୱ। ଏପରି କାମରେ ଜଣେ ବ୍ୟକ୍ତି କେଉଁ ଅଧିକାରରେ ହସ୍ତକ୍ଷେପ କରୁଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଥିଲେ।

ଖଣ୍ଡପୀଠ ମନ୍ତବ୍ୟ ଦେଇଥିଲେ ଯେ, RTI ଆଇନର ଉଦ୍ଦେଶ୍ୟ ସ୍ୱଚ୍ଛତା ଓ ଜବାବଦେହିତା ବଢ଼ାଇବା ହୋଇଥିଲେ ମଧ୍ୟ କେତେକ ବ୍ୟକ୍ତି ଏହାର ଦୁରୁପଯୋଗ କରି ନିଜସ୍ୱ ସ୍ୱାର୍ଥ ସାଧନ କରୁଛନ୍ତି। ଶେଷରେ ସୁପ୍ରିମକୋର୍ଟ ରାକେଶ କୁମାର ବହଲଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ