ଆମେରିକା ନଥିଲେ ଇସ୍ରାଏଲ ନଥାନ୍ତା। ଆଉ ମୁଁ ନଥିଲେ ଇସ୍ରାଏଲ ମଧ୍ୟ ନଥାନ୍ତା – ଡୋନାଲ୍ଡ ଟ୍ରମ୍ପ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇସ୍ରାଏଲ ଓ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଜି-୭ ସମ୍ମିଳନୀ ଅବସରରେ କତାରର ଅମିର ଶେଖ ତାମିମ ବିନ୍ ହାମାଦ ଅଲ୍ ଥାନିଙ୍କ ସହ ଉପସ୍ଥିତ ଥିବା ବେଳେ ଟ୍ରମ୍ପ କହିଥିଲେ, “ଆମେରିକା ନଥିଲେ ଇସ୍ରାଏଲ ନଥାନ୍ତା। ଆଉ ମୁଁ ନଥିଲେ ଇସ୍ରାଏଲ ମଧ୍ୟ ନଥାନ୍ତା, କାରଣ ମୋ ଭଳି ଅନ୍ୟ କୌଣସି ରାଷ୍ଟ୍ରପତି ଇସ୍ରାଏଲ ପାଇଁ ଏତେ କିଛି କରିନଥିଲେ।” ଟ୍ରମ୍ପଙ୍କ ଏହି ମନ୍ତବ୍ୟ ନେତନ୍ୟାହୁଙ୍କ ସହ ତାଙ୍କ ସମ୍ପର୍କରେ ତିକ୍ତତା ବଢ଼ୁଥିବା ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି।
ଟ୍ରମ୍ପ ଇସ୍ରାଏଲର ଲେବାନନ ଉପରେ ହେଉଥିବା ଆକ୍ରମଣକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଇରାନ ସହ ସମ୍ଭାବ୍ୟ ଶାନ୍ତି ଚୁକ୍ତି ପ୍ରୟାସକୁ ଏଭଳି ସାମରିକ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ କରିପାରେ। “ମୋର ବିବି (ନେତନ୍ୟାହୁ)ଙ୍କ ସହ ଭଲ ସମ୍ପର୍କ ରହିଛି, କିନ୍ତୁ ବର୍ତ୍ତମାନ ଲେବାନନ ପ୍ରସଙ୍ଗରେ ସେ ଅଧିକ ଦାୟିତ୍ୱବାନ ହେବା ଦରକାର,” ବୋଲି ଟ୍ରମ୍ପ କହିଥିଲେ। ସେ ଲେବାନନର ପୂର୍ବ ଗୌରବର କଥା ମନେ ପକାଇ କହିଥିଲେ ଯେ, ଏହା ଏକ ସମୟରେ ବୁଦ୍ଧିଜୀବୀ, ଡାକ୍ତର ଓ ଆଇନଜୀବୀଙ୍କ ଦେଶ ଥିଲା, କିନ୍ତୁ ଆଜି ଏହାର ସ୍ଥିତି ଦୟନୀୟ।
ସମ୍ପ୍ରତି ଇରାନ ସହ ଏକ ସମ୍ଭାବ୍ୟ ଆମେରିକା-ଇରାନ ଚୁକ୍ତି ପୂର୍ବରୁ ଇସ୍ରାଏଲ ବେରୁଟ ଉପରେ ଆକ୍ରମଣ କରିଥିବା ଖବର ପ୍ରକାଶ ପାଇବା ପରେ ଟ୍ରମ୍ପ ନେତନ୍ୟାହୁଙ୍କ ଉପରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଥିଲା। ଏହି ପରିପ୍ରେକ୍ଷୀରେ ଟ୍ରମ୍ପଙ୍କ ନୂଆ ବୟାନ ଆମେରିକା-ଇସ୍ରାଏଲ ସମ୍ପର୍କ ଏବଂ ମଧ୍ୟପ୍ରାଚ୍ୟର ରାଜନୀତିକ ସମୀକରଣକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

