Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପବାଚସ୍ପତିଙ୍କ ନକଲି ଲେଟର ପ୍ୟାଡରେ ବଦଳି ସୁପାରିଶ, ଜାଲିଆତି ଘଟଣାରେ ହଇଚଇ

ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ନାମରେ ନକଲି ଲେଟର ପ୍ୟାଡ ଓ ଜାଲ ଦସ୍ତଖତ ବ୍ୟବହାର କରି ସରକାରୀ କର୍ମଚାରୀଙ୍କ ବଦଳି ପାଇଁ ସୁପାରିଶ କରାଯାଇଥିବା ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଉପବାଚସ୍ପତି ଏହି ଜାଲିଆତି ସମ୍ପର୍କରେ ଅବଗତ ଥିବା ସହ ଘଟଣାର ବ୍ୟକ୍ତିଗତ ଅନୁସନ୍ଧାନ କରୁଥିବା କହିଛନ୍ତି। ଏହାକୁ ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଥାନାରେ ଏତଲା ଦାଖଲ କରାଯାଇଛି।

ସୂଚନା ଅନୁସାରେ, ସୁନ୍ଦରଗଡ଼ ସଦର ବ୍ଲକରୁ ମୟୂରଭଞ୍ଜକୁ ବଦଳି ହୋଇଥିବା ଜଣେ ମହିଳା ଯନ୍ତ୍ରୀ ଓ ଅନ୍ୟ ଜଣେ ଯନ୍ତ୍ରୀଙ୍କୁ ପୁଣି ସୁନ୍ଦରଗଡ଼କୁ ଫେରାଇ ଆଣିବା ପାଇଁ ଏହି ଜାଲ ସୁପାରିଶ ପତ୍ର ବ୍ୟବହାର କରାଯାଇଥିଲା। ଏହି ପତ୍ର ଆଧାରରେ ମହିଳା ଯନ୍ତ୍ରୀଙ୍କୁ ବଡ଼ଗାଁ ବ୍ଲକ ଏବଂ ଅନ୍ୟ ଯନ୍ତ୍ରୀଙ୍କୁ ସୁନ୍ଦରଗଡ଼ ସଦର ବ୍ଲକକୁ ବଦଳି କରାଯାଇଥିବା ଜଣାପଡ଼ିଛି। ପରେ ଘଟଣା ସମ୍ପର୍କରେ ଜାଣିବା ପରେ ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ନିରଞ୍ଜନ କୁମାର ସା କ୍ୟାପିଟାଲ ଥାନାରେ ମୋନାଲିସା ବେହେରା ଓ ଲକ୍ଷ୍ମଣ ହେମ୍ବ୍ରମଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ।

ଏହି ଜାଲିଆତିରେ ସହଯୋଗ କରିଥିବା ଜଣେ ଯୁବକ ଜଣେ ବିଜେଡି ନେତାଙ୍କ ସହାୟତାରେ ଉପବାଚସ୍ପତିଙ୍କୁ ଭେଟି ନିଜ ଭୁଲ ସ୍ୱୀକାର କରି କ୍ଷମା ମାଗିଥିବା ସୂଚନା ମିଳିଛି। ତେବେ ଏହି ଘଟଣା ପଛରେ ବଡ଼ ଧରଣର ଅର୍ଥ କାରବାର ହୋଇଥିବା ସନ୍ଦେହ କରାଯାଉଛି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ଯନ୍ତ୍ରୀଙ୍କ ବଦଳି ପାଇଁ ତାଙ୍କ ନକଲି ଲେଟର ପ୍ୟାଡ ବ୍ୟବହାର ହୋଇଥିବା ଜଣାପଡ଼ିଛି, କିନ୍ତୁ ଏପରି ଆହୁରି ଅନେକ ଘଟଣା ଘଟିଥିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ସେ ମତ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ