ପାଠ୍ୟପୁସ୍ତକରେ ୧୬୦୦ରୁ ଅଧିକ ତ୍ରୁଟି! କୋଣାର୍କ ସ୍ଥାନରେ ହମ୍ପି, ବିଧାନସଭା ସ୍ଥାନରେ କର୍ଣ୍ଣାଟକ ବିଧାନ ସୌଧ
ନୂତନ ଶିକ୍ଷାନୀତି (NEP-2020) ଅନୁଯାୟୀ ପ୍ରସ୍ତୁତ ଓଡ଼ିଶାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ୧୬୭୮ଟି ତ୍ରୁଟି ଚିହ୍ନଟ ହୋଇଥିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅଷ୍ଟମ ଶ୍ରେଣୀର ପୁସ୍ତକରେ ସର୍ବାଧିକ ୭୦୫ଟି ତ୍ରୁଟି ଥିବା ବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିର ସ୍ଥାନରେ ହମ୍ପିର ଷ୍ଟୋନ୍ ଚାରିଅଟ୍ର ଫଟୋ ବ୍ୟବହାର କରାଯାଇଛି। ସେହିପରି ଓଡ଼ିଶା ବିଧାନସଭା ବଦଳରେ କର୍ଣ୍ଣାଟକର ବିଧାନ ସୌଧର ଚିତ୍ର ଛପାଯାଇଥିବା ଦେଖାଯାଇଛି।
କେବଳ ଚିତ୍ରଗତ ତ୍ରୁଟି ନୁହେଁ, ଭୌଗୋଳିକ ଓ ସାଂସ୍କୃତିକ ତଥ୍ୟରେ ମଧ୍ୟ ଅନେକ ଭୁଲ ରହିଛି। ନିୟମଗିରି ପାହାଡ଼କୁ ଝାଡ଼ଖଣ୍ଡରେ ଥିବା ବୋଲି ଉଲ୍ଲେଖ କରାଯାଇଥିବା ବେଳେ ଡଙ୍ଗରିଆ ଜନଜାତିର ନାମ ମଧ୍ୟ ଭୁଲ ଭାବେ ଲେଖାଯାଇଛି। ବ୍ରହ୍ମପୁରକୁ ଏକ ଜିଲ୍ଲା ଭାବେ ଦର୍ଶାଯାଇଥିବା ସହ ଇଂରାଜୀ ପୁସ୍ତକରେ “greatest” ଶବ୍ଦକୁ “gretest” ଭାବେ ଲେଖାଯାଇଛି। ଓଡ଼ିଆ, ଇଂରାଜୀ ଓ ସାମାଜିକ ବିଜ୍ଞାନ ସହ ବିଭିନ୍ନ ବିଷୟରେ ଏଭଳି ତ୍ରୁଟି ଦେଖିବାକୁ ମିଳିଛି।
ଏହି ପାଠ୍ୟପୁସ୍ତକଗୁଡ଼ିକୁ SCERT ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ “ପ୍ରାୟୋଗିକ ସଂସ୍କରଣ” ଭାବେ ପ୍ରସ୍ତୁତ କରାଯାଇଥିଲା ଏବଂ ସେଗୁଡ଼ିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଣ୍ଟନ ମଧ୍ୟ ସରିଯାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହାକୁ ଛାପା ତ୍ରୁଟି ବୋଲି କହିଥିବା ବେଳେ ଶିକ୍ଷକମାନଙ୍କୁ ଶ୍ରେଣୀଗୃହରେ ପାଠଦାନ ପୂର୍ବରୁ ସମସ୍ତ ଭୁଲ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

