ଶିବସେନା (UBT)ରେ ବିଦ୍ରୋହ ଚର୍ଚ୍ଚା ମଧ୍ୟରେ ସଞ୍ଜୟ ରାଉତଙ୍କ ବଡ଼ ଅଭିଯୋଗ, ‘ସାଂସଦଙ୍କୁ ୫୦ କୋଟିର ପ୍ରଲୋଭନ’
ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି)ରେ ସମ୍ଭାବ୍ୟ ବିଦ୍ରୋହ ଚର୍ଚ୍ଚା ମଧ୍ୟରେ ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ରାଉତ କହିଛନ୍ତି ଯେ, କିଛି ସାଂସଦଙ୍କୁ ଦଳ ଛାଡ଼ିବା ପାଇଁ ୫୦ କୋଟି ଟଙ୍କାର ପ୍ରଲୋଭନ ଦିଆଯାଇଛି ଏବଂ ଏଥିପାଇଁ ୧୫ କୋଟି ଟଙ୍କା ଅଗ୍ରିମ ଭାବେ ଦେବାର ପ୍ରତିଶ୍ରୁତି ମଧ୍ୟ ମିଳିଛି। ସେ ଦାବି କରିଛନ୍ତି ଯେ ମହାରାଷ୍ଟ୍ରରେ ସାଂସଦ କିଣାବିକା ଚାଲିଛି ଏବଂ ଏହା ଗଣତନ୍ତ୍ର ପାଇଁ ଚିନ୍ତାଜନକ।
ଦଳ ଭିତରେ ବଢ଼ୁଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ଶିବସେନା (ୟୁବିଟି) ସଂସଦୀୟ ଦଳ ନେତା ଅରବିନ୍ଦ ସାୱନ୍ତ ସମସ୍ତ ୯ ଜଣ ସାଂସଦଙ୍କୁ ଗୁରୁବାର ହେବାକୁ ଥିବା ବୈଠକରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛନ୍ତି। ରାଉତ କହିଛନ୍ତି ଯେ, ଦଳର ପ୍ରତୀକରେ ନିର୍ବାଚିତ ହୋଇଥିବା ସାଂସଦମାନଙ୍କର ଦଳକୁ ବିଶ୍ୱାସଘାତ କରିବାର କୌଣସି ଅଧିକାର ନାହିଁ। ସେ ଚେତାବନୀ ଦେଇ କହିଛନ୍ତି ଯେ, ଏପରି ପଦକ୍ଷେପକୁ ଜନତା ସହଜରେ ଗ୍ରହଣ କରିବେ ନାହିଁ ଏବଂ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳିବ।
ଏପଟେ ‘ଅପରେସନ ଟାଇଗର’ ନାମରେ ପରିଚିତ ରାଜନୈତିକ ଅଭିଯାନ ମାଧ୍ୟମରେ ଶିବସେନା (ୟୁବିଟି)ର ୬ ଜଣ ସାଂସଦ ଅଲଗା ଗୋଷ୍ଠୀ ଗଠନ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଯଦି ୯ ଜଣ ସାଂସଦଙ୍କ ମଧ୍ୟରୁ ୬ ଜଣ ଅଲଗା ହୋଇଯାନ୍ତି, ତେବେ ସେମାନେ ସଂସଦୀୟ ଦଳର ଦୁଇ-ତୃତୀୟାଂଶ ସଂଖ୍ୟା ପୂରଣ କରି ଦଳବଦଳ ଆଇନରୁ ରକ୍ଷା ପାଇପାରନ୍ତି। ତେବେ ଏହି ଖବର ସମ୍ପର୍କରେ ସ୍ୱାଧୀନ ଭାବେ କୌଣସି ଆଧିକାରିକ ପୁଷ୍ଟି ମିଳିନାହିଁ।

