ଦ୍ୱାଦଶ ଶ୍ରେଣୀ ଟପ୍ପର ରିୟାଙ୍କ ଆତ୍ମହତ୍ୟା; ସୁଇସାଇଡ୍ ନୋଟରେ ଲେଖିଗଲେ – “ଆଇ ଲଭ୍ ୟୁ ମମି, ପାପା”
ଉତ୍ତରାଖଣ୍ଡର ଦେହରାଦୁନରେ ୨୩ ବର୍ଷୀୟା ରିୟା କୁମାରୀ ଥାପାଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ରିୟା ୧୯୯୯ କାର୍ଗିଲ ଯୁଦ୍ଧର ଜଣେ ପୂର୍ବତନ ସେନା ସଦସ୍ୟଙ୍କ ଝିଅ ଥିଲେ। ମଙ୍ଗଳବାର ସକାଳେ ସେ ନିଜ କୋଠରୀର ଦ୍ୱାର ନଖୋଲିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ପରେ ଦ୍ୱାର ଭାଙ୍ଗି ଭିତରକୁ ପ୍ରବେଶ କରିବା ପରେ ରିୟାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।
ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ ଜବତ କରାଯାଇଛି। ସେଥିରେ ରିୟା ନିଜ ବାପା ଓ ମା’ଙ୍କ ପ୍ରତି ଭଲପାଇବା ପ୍ରକାଶ କରି “ଆଇ ଲଭ୍ ୟୁ ମମି, ପାପା” ଲେଖିଥିବା ବେଳେ ତାଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ ନକରିବାକୁ ଅନୁରୋଧ କରିଛନ୍ତି। ପୋଲିସ ଅନୁସାରେ, ସେ ନିଜର ପାଠପଢ଼ା ଓ କ୍ୟାରିୟରକୁ ନେଇ ଚାପ ଓ ନିରାଶାରେ ଥିବା କଥା ନୋଟରୁ ସୂଚନା ମିଳିଛି।
ଦେହରାଦୁନ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ପ୍ରାଥମିକ ତଦନ୍ତରୁ ପାଠପଢ଼ାରେ ଆଶାଅନୁଯାୟୀ ସଫଳତା ନମିଳିବା ଜନିତ ହତାଶା ଏହି ଚରମ ପଦକ୍ଷେପର କାରଣ ହୋଇପାରେ ବୋଲି ଜଣାପଡ଼ିଛି। ଏହି ଘଟଣା ପୁଣିଥରେ ଯୁବପିଢ଼ିଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ, ପରୀକ୍ଷା ଚାପ ଓ କ୍ୟାରିୟର ସମ୍ବନ୍ଧୀୟ ଚିନ୍ତାକୁ ନେଇ ଗଭୀର ଆଲୋଚନାର ଆବଶ୍ୟକତା ଉପରେ ଆଲୋକପାତ କରିଛି।

