ଗୋଟିଏ ରିଲ୍ରୁ ୭୬ ଲକ୍ଷ ଟଙ୍କା! ନିଜ ଆୟର ରହସ୍ୟ ଖୋଲିଲେ ଓରି
ସୋସିଆଲ ମିଡିଆରେ ଚର୍ଚ୍ଚିତ ମୁହଁ ଓରି (ଓରହାନ ଅୱାତ୍ରମାନି) ନିଜ ଆୟକୁ ନେଇ ବଡ଼ ଖୁଲାସା କରିଛନ୍ତି। ଏକ ପଡ୍କାଷ୍ଟରେ ସେ କହିଛନ୍ତି ଯେ, ଗତ ମାସରେ କେବଳ ଗୋଟିଏ ବ୍ରାଣ୍ଡ ଡିଲ୍ ଓ ଗୋଟିଏ ରିଲ୍ ମାଧ୍ୟମରେ ସେ ୭୬ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ତାଙ୍କ ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଇନ୍ଫ୍ଲୁଏନ୍ସର ମାର୍କେଟିଂକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ଓରି କହିଛନ୍ତି ଯେ, ବ୍ରାଣ୍ଡ ସହଯୋଗ ଓ ପ୍ରମୋସନାଲ କଣ୍ଟେଣ୍ଟ ତାଙ୍କ ଆୟର ମୁଖ୍ୟ ଉତ୍ସ।
କେବଳ ସୋସିଆଲ ମିଡିଆ ନୁହେଁ, ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେଇ ମଧ୍ୟ ସେ ବିପୁଳ ଅର୍ଥ ଉପାର୍ଜନ କରନ୍ତି। ଓରିଙ୍କ କହିବା ଅନୁସାରେ, ଲଞ୍ଚ, ଡିନର, ଜନ୍ମଦିନ ପାର୍ଟି କିମ୍ବା ବିବାହ ଭଳି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ୧୫ରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ନେଇଥାନ୍ତି। ସେ ଅତିଥିମାନଙ୍କ ସହ କଥାବାର୍ତ୍ତା କରିବା, ଫଟୋ ଉଠାଇବା ଓ ନିଜର ଲୋକପ୍ରିୟ ପୋଜ୍ ଦେବାକୁ ମଧ୍ୟ ଏହି ସେବାର ଅଂଶ ବୋଲି କହିଛନ୍ତି। ତାଙ୍କ ମତରେ, ଆଜିର ଡିଜିଟାଲ ଯୁଗରେ ଲୋକପ୍ରିୟତା ନିଜେ ଏକ ବ୍ୟବସାୟରେ ପରିଣତ ହୋଇଛି।
ଆଲୋଚନା ସମୟରେ ଓରି ତାଙ୍କ ବ୍ୟକ୍ତିଗତ ଆର୍ଥିକ ପରିଚାଳନା ବିଷୟରେ ମଧ୍ୟ କହିଥିଲେ। ସେ ହସି ହସି କହିଥିଲେ ଯେ, ତାଙ୍କ ସମସ୍ତ ଟଙ୍କାର ହିସାବ ଏବେ ମଧ୍ୟ ତାଙ୍କ ବାପା ଓ ମାଆ ରଖନ୍ତି। ଭବିଷ୍ୟତରେ ନିଜେ ଆର୍ଥିକ ଦାୟିତ୍ୱ ନେବେ କି ନାହିଁ ପଚାରାଯିବାରୁ ସେ ମଜାକିଆ ଢଙ୍ଗରେ କହିଥିଲେ, “ମୁଁ କେବେ ବି ଏହି ଅଭ୍ୟାସରୁ ବାହାରିବି ନାହିଁ।” ତାଙ୍କ ଏହି ଖୁଲାସା ପରେ ସୋସିଆଲ ମିଡିଆରେ ଇନ୍ଫ୍ଲୁଏନ୍ସର ସଂସ୍କୃତି ଓ ଡିଜିଟାଲ ଖ୍ୟାତିର ଆର୍ଥିକ ମୂଲ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।

