ମୋବାଇଲ୍ ଫେରାଇବା ପାଇଁ ଲାଞ୍ଚ! ମଞ୍ଚେଶ୍ୱର ଥାନାର ଏଏସଆଇ ଓ ହୋମଗାର୍ଡଙ୍କୁ ମାଡ଼ିବସିଲା ଭିଜିଲାନ୍ସ
ଭୁବନେଶ୍ୱରର ମଞ୍ଚେଶ୍ୱର ଥାନାରେ ଲାଞ୍ଚ ନେଉଥିବା ବେଳେ ଜଣେ ଏଏସଆଇ ଓ ଜଣେ ହୋମଗାର୍ଡଙ୍କୁ ଭିଜିଲାନ୍ସ ହାତେନାତ ଧରିଛି। ଅଭିଯୁକ୍ତ ଏଏସଆଇ ରାଜେଶ କୁଲୁ ଓ ହୋମଗାର୍ଡ ଜ୍ୟୋତି ରଞ୍ଜନ ବେହେରା ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ମୋବାଇଲ୍ ଫୋନ୍ ଫେରାଇବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଅଭିଯୁକ୍ତଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଭିଜିଲାନ୍ସ ସୂଚନା ଅନୁଯାୟୀ, ଏହି ଘଟଣା ପୂର୍ବରୁ ମଧ୍ୟ ଗତ ୧୨ ଜୁନ୍ରେ ଏଏସଆଇ ରାଜେଶ କୁଲୁ ସେହି ବ୍ୟକ୍ତିଙ୍କଠାରୁ ୩୦ ହଜାର ଟଙ୍କା ନେଇ ଗୋଟିଏ ମୋବାଇଲ୍ ଫୋନ୍ ଫେରାଇଥିଲେ। ପରେ ଅନ୍ୟ ଏକ ମୋବାଇଲ୍ ଫେରସ୍ତ କରିବା ପାଇଁ ପୁଣିଥରେ ୨୦ ହଜାର ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀ ଏନେଇ ଭିଜିଲାନ୍ସକୁ ସୂଚନା ଦେବା ପରେ ଯୋଜନାବଦ୍ଧ ଭାବେ ଫାନ୍ଦ ପତାଯାଇଥିଲା। ଏଏସଆଇଙ୍କ ନିର୍ଦ୍ଦେଶ ଅନୁଯାୟୀ ହୋମଗାର୍ଡଙ୍କୁ ଟଙ୍କା ଦିଆଯାଇଥିବା ବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ କାବୁ କରିଥିଲା।
ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ପି.ଏସ୍. କେସ୍ ନମ୍ବର ୧୦ ତାରିଖ ୧୬.୦୬.୨୦୨୬ ଧାରା ୭ ପି.ସି. (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ମାମଲା ଦାଖଲ କରାଯାଇଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି। ଏହି ଘଟଣା ପରେ ପୋଲିସ ବିଭାଗରେ ଚର୍ଚ୍ଚା ଜୋର ଧରିଛି।

