Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୯ ଜିଲ୍ଲାରେ ୨୦ ମେଗା ପ୍ରକଳ୍ପକୁ ମଞ୍ଜୁରୀ; ୭୬ ହଜାର କୋଟିରୁ ଅଧିକ ନିବେଶ, ୫୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୫ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ (HLCA) ବୈଠକରେ ରାଜ୍ୟର ୯ଟି ଜିଲ୍ଲା ପାଇଁ ୨୦ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକରେ ମୋଟ ୭୬,୬୧୧.୮୬ କୋଟି ଟଙ୍କା ନିବେଶ ହେବାକୁ ଥିବାବେଳେ ଏହା ମାଧ୍ୟମରେ ପ୍ରାୟ ୫୦,୫୧୭ ଜଣଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। ରତ୍ନପଥର, ମହାକାଶ, ପ୍ରତିରକ୍ଷା, ବିରଳ ଖଣିଜ ଓ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ହେବ।

ଏହି ମଞ୍ଜୁରୀ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ‘ଲ୍ୟାବ୍-ଗ୍ରୋନ୍’ ହୀରା ଓ ରତ୍ନପଥର ନିର୍ମାଣ ପାଇଁ ତିନିଟି ବଡ଼ କମ୍ପାନୀ ମିଶି ୯,୮୧୭.୫୦ କୋଟି ଟଙ୍କା ନିବେଶ କରିବେ। ଏହା ଦ୍ୱାରା ପ୍ରାୟ ୮,୧୦୦ ଜଣଙ୍କୁ ଚାକିରି ମିଳିବ। ଏହାସହ ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ୟାପକ ପରିସରରେ କୃତ୍ରିମ ହୀରା ଉତ୍ପାଦନ କ୍ଷେତ୍ରର ବିକାଶ ହେବାକୁ ଯାଉଛି, ଯାହା ରତ୍ନପଥର ଶିଳ୍ପରେ ରାଜ୍ୟକୁ ନୂଆ ପରିଚୟ ଦେବ।

ସେହିପରି ଗଞ୍ଜାମ ଜିଲ୍ଲାରେ ଟାଟା ପାୱାର୍ ରିନିଉଏବଲ୍ ଏନର୍ଜି ଲିମିଟେଡ୍ ୧୦,୦୦୦ କୋଟି ଟଙ୍କା ନିବେଶରେ ସୋଲାର୍ ପିଭି ସେଲ୍ ଓ ୱେଫର୍ ନିର୍ମାଣ କାରଖାନା ସ୍ଥାପନ କରିବ, ଯାହା ମାଧ୍ୟମରେ ୫,୦୦୦ ନିଯୁକ୍ତି ସୃଷ୍ଟି ହେବ। ଏହା ବ୍ୟତୀତ ସାତ୍ୱିକ ସୋଲାର୍ ମଧ୍ୟ ଗଞ୍ଜାମରେ ୧,୭୦୯.୮୧ କୋଟି ଟଙ୍କା ନିବେଶ କରିବ। ଏହି ମେଗା ପ୍ରକଳ୍ପଗୁଡ଼ିକ ରାଜ୍ୟର ଶିଳ୍ପାୟନ, ରୋଜଗାର ସୃଷ୍ଟି ଏବଂ ଅର୍ଥନୈତିକ ବିକାଶକୁ ନୂଆ ଗତି ଦେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ