ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତକୁ କାବୁ କଲେ ଲୋକେ
ବାଲେଶ୍ୱର ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି। ସଦର ଥାନା ଅଧୀନ ହଳଦିପଦା ଫାଣ୍ଡି ଅନ୍ତର୍ଗତ ନଗ୍ରମ ଅଞ୍ଚଳରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବାଲେଶ୍ୱର ଯିବା ପାଇଁ ଯୁବତୀ ଜଣକ ଅଭିଯୁକ୍ତଙ୍କୁ ଲିଫ୍ଟ ମାଗିଥିବାବେଳେ ସେ ତାଙ୍କୁ ଗାଡ଼ିରେ ନେଇ କିଛି ଦୂର ଯିବା ପରେ ଏକ ପୋଲ ତଳକୁ ନେଇଯାଇଥିବା ଅଭିଯୋଗ ହୋଇଛି।
ସେଠାରେ ଅଭିଯୁକ୍ତ ଯୁବତୀଙ୍କୁ ଟଣାଘୋଷରା କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହା ପରେ ଯୁବତୀ ଚିତ୍କାର କରି ସହାୟତା ମାଗିବାରୁ ସ୍ଥାନୀୟ ଲୋକ ଏବଂ ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଅଭିଯୁକ୍ତଙ୍କୁ ଧରିବା ପରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ମାଡ଼ ମାରିଥିଲେ। ଅଭିଯୁକ୍ତଙ୍କ ନାମ ଚନ୍ଦନ ମଲ୍ଲିକ ବୋଲି ଜଣାପଡ଼ିଛି।
ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବା ପରେ ହଳଦିପଦା ଫାଣ୍ଡି ଓ ସଦର ଥାନା ପୁଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଏପର୍ଯ୍ୟନ୍ତ ପୀଡ଼ିତାଙ୍କ ପକ୍ଷରୁ କୌଣସି ଲିଖିତ ଅଭିଯୋଗ ଦାଖଲ ହୋଇନଥିବା ସଦର ଥାନା ଅଧିକାରୀ ଅଜୟ କୁମାର ମୁର୍ମୁ ସୂଚନା ଦେଇଛନ୍ତି।

