Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମ ମନ୍ଦିର ଦାନ ଟଙ୍କା ଗାଏବ ଅଭିଯୋଗ: SIT ତଦନ୍ତକୁ ନେଇ ବଢ଼ିଲା ରାଜନୈତିକ ତାତି

ଅଯୋଧ୍ୟାର ରାମ ମନ୍ଦିରରେ ଭକ୍ତମାନଙ୍କ ଦାନ ଟଙ୍କା ହେରଫେର ହୋଇଥିବା ଅଭିଯୋଗକୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କୋଟି କୋଟି ଟଙ୍କା ଗାଏବ ହୋଇଥିବା ଅଭିଯୋଗ ଆଣି ନ୍ୟାୟିକ ତଦନ୍ତ ଦାବି କରିଥିଲେ। ପ୍ରଥମେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏହାକୁ ଗୁଜବ ବୋଲି ଖଣ୍ଡନ କରିଥିଲେ ମଧ୍ୟ ପରେ ଯୋଗୀ ସରକାର ଏହି ଅଭିଯୋଗର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର SIT ଗଠନ କରିଛନ୍ତି। ପ୍ରାୟ ୭ରୁ ୭.୫ କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି।

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ ନିୟମିତ ଅଡିଟ୍ ଚାଲିଛି ଏବଂ ଏପର୍ଯ୍ୟନ୍ତ କୌଣସି ଅନିୟମିତତାର ପ୍ରମାଣ ମିଳିନାହିଁ। ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ SBI ଓ ଟ୍ରଷ୍ଟ ପ୍ରତିନିଧିଙ୍କ ଉପସ୍ଥିତିରେ ଦାନ ଟଙ୍କାର ଅଡିଟ୍ ହୁଏ। ମନ୍ଦିର ପରିସରରେ ଥିବା ଦାନ ବାକ୍ସରୁ ପ୍ରତିଦିନ ଟଙ୍କା ସଂଗ୍ରହ କରାଯାଏ ଏବଂ ୧୪ ଜଣିଆ ଟିମ୍ ଏହାର ଗଣନା କରିଥାଏ। ଟ୍ରଷ୍ଟ ମଧ୍ୟ ସରକାରଙ୍କୁ ନିରପେକ୍ଷ ତଦନ୍ତ କରି ସତ୍ୟ ପଦାରେ ଆଣିବାକୁ ଅନୁରୋଧ କରିଛି।

ଏହି ବିବାଦ ଏବେ ରାଜନୈତିକ ମୋଡ଼ ନେଇଛି। ପୂର୍ବତନ ବିଜେପି ସାଂସଦ ବୃଜଭୂଷଣ ଶରଣ ସିଂହ ଏବଂ ଅନ୍ୟ କିଛି ନେତା ମଧ୍ୟ ଦାନ ପରିଚାଳନା ନେଇ ପ୍ରଶ୍ନ ଉଠାଇଛନ୍ତି। ଫୈଜାବାଦ ସାଂସଦ ଅବଧେଶ ପ୍ରସାଦ ତଦନ୍ତ ଶେଷ ନହେଉଅ ପର୍ଯ୍ୟନ୍ତ ଟ୍ରଷ୍ଟ ସଦସ୍ୟଙ୍କୁ ପଦରୁ ହଟାଇବା ଦାବି କରିଛନ୍ତି। ଅନ୍ୟପଟେ ସୁପ୍ରିମକୋର୍ଟରେ ତତ୍ତ୍ୱାବଧାନରେ ତଦନ୍ତ ପାଇଁ ଏକ ପ୍ରତିନିଧିତ୍ୱ ଦାଖଲ ହୋଇଛି। SIT ରିପୋର୍ଟ ପରେ ହିଁ ଏହି ବହୁଚର୍ଚ୍ଚିତ ମାମଲାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ