Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ରପତିଙ୍କ ଜନ୍ମମାଟି ପାହାଡ଼ପୁରରେ ଉତ୍ସାହର ମାହୋଲ, ଆଜି ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗାଁରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଶୁକ୍ରବାର ନିଜ ଜନ୍ମଭୂମିରେ ପହଞ୍ଚିଥିବାବେଳେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପାହାଡ଼ପୁର ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ଏହି ଗସ୍ତ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଯାଇଛି।

ଗସ୍ତ କାର୍ଯ୍ୟକ୍ରମ ଅନୁଯାୟୀ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପ୍ରଥମେ ଗୋଷାଣୀ ପୀଠ, ସାନ୍ତାଳୀ ଜାହିରା ପୀଠ ଏବଂ ହୋ-ମୁଣ୍ଡା ଜାହିରା ପୀଠ ପରିଦର୍ଶନ କରିବେ। ପରେ ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଶିକ୍ଷଣ ପାଇ ଚାକିରି କରୁଥିବା ଯୁବକ-ଯୁବତୀଙ୍କ ସହ ଆଲୋଚନା କରିବା ସହ ପାହାଡ଼ପୁରସ୍ଥିତ ଏସ୍‌ଏଲ୍‌ଏସ୍‌ ମେମୋରିଆଲ୍‌ ସ୍କୁଲରେ ପହଞ୍ଚି ସ୍ୱର୍ଗତ ସ୍ୱାମୀ ଓ ଦୁଇ ପୁତ୍ରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ଏହାପରେ ଉଭୟ ନେତା ଦାଣ୍ଡବୋଷରେ ଆୟୋଜିତ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବେ ଏବଂ ଓଡ଼ିଶା ସମେତ ମୟୂରଭଞ୍ଜ ଜିଲ୍ଲା ପାଇଁ ୫୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ୪୦ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ଏହି ବହୁ ପ୍ରତୀକ୍ଷିତ ଗସ୍ତକୁ ନେଇ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ସରାଇଥିବାବେଳେ ପାହାଡ଼ପୁରବାସୀ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ଜଣାଇବାକୁ ଅପେକ୍ଷା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ