Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଉରକେଲାରେ ଡବଲ୍ ଏନକାଉଣ୍ଟର: ତୋଫାନ ହତ୍ୟା ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ ଗୁଳିବିଦ୍ଧ

ରାଉରକେଲାରେ ତୋଫାନ ବିନ୍ଧାଣୀ ହତ୍ୟା ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ ଚୁନୁ ହରିପା ଓ ନଣ୍ଡା ଓରଫ ସୁଶାନ୍ତ ପୁଲିସ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଛନ୍ତି। ଝିରପାଣି ଥାନା ଅଞ୍ଚଳରେ ଭୋର ସାଢେ ୩ଟା ବେଳେ ପୁଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୁଲିସର ପାଲଟା ଗୁଳିରେ ଉଭୟଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତ ଜୁନ୍ ୧୬ ତାରିଖରେ ସେକ୍ଟର-୬ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନିକଟସ୍ଥ ଜଙ୍ଗଲରେ ଆର୍‌ଏମ୍‌ସି କର୍ମଚାରୀ ତୋଫାନ ବିନ୍ଧାଣୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଅଞ୍ଚଳରେ ନିଶା ସେବନକୁ ବିରୋଧ କରିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ସେକ୍ଟର-୭ ଥାନାରେ ମାମଲା ରୁଜୁ ହୋଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରାମେଶ୍ୱରପାଲି ଓ ନାରାୟଣପାଲି ବସ୍ତିର କିଛି ଯୁବକଙ୍କ ମଧ୍ୟରେ ନିଶା ସେବନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ଏକ ଗୋଷ୍ଠୀ ତୋଫାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଡିତ ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନରେ ପୁଲିସ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ