କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ; ୧୫ ମୃତ
ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରର ଅଲିଗଞ୍ଜ ଅଞ୍ଚଳର ପୁରନିଆ ସ୍ଥିତ ଏକ କୋଚିଂ ସେଣ୍ଟରରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡ ପରେ ସମଗ୍ର କୋଠା ଧୂଆଁରେ ଭରିଯାଇଥିଲା, ଯାହାଫଳରେ ଭିତରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଓ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ନିଜ ଜୀବନ ବଞ୍ଚାଇବାକୁ କିଛି ଛାତ୍ରଛାତ୍ରୀ ପ୍ରଥମ ମହଲାରୁ ଡେଇଁ ପଡ଼ିଥିବାରୁ ସେମାନେ ଗୁରୁତର ଆହତ ହୋଇଛନ୍ତି।
ସ୍ଥାନୀୟ ଲୋକେ କୋଠାରୁ ଘନ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇବା ପରେ ଅନେକ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଧୂଆଁ ଓ ଅଗ୍ନିର ତୀବ୍ରତା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲେ ମଧ୍ୟ ପାଖ ଘରର ଛାତରୁ କାନ୍ଥ କାଟି ଛାତ୍ରଛାତ୍ରୀଙ୍କୁ ବାହାର କରାଯାଉଛି। ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଉଦ୍ଧାର କରି ଟ୍ରମା ସେଣ୍ଟରକୁ ପଠାଯାଇଥିବା ବେଳେ ଆହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଘଟଣାସ୍ଥଳରେ ଜିଲ୍ଲା ମାଜିଷ୍ଟ୍ରେଟ୍, ବରିଷ୍ଠ ପୁଲିସ ଅଧିକାରୀ ଓ ପ୍ରଶାସନିକ ଟିମ୍ ଉପସ୍ଥିତ ରହି ଉଦ୍ଧାର ଏବଂ ତଦନ୍ତ କାର୍ଯ୍ୟର ତଦାରଖ କରୁଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ଶର୍ଟ ସର୍କିଟ୍ କିମ୍ବା ଅନ୍ୟ କୌଣସି ବୈଦ୍ୟୁତିକ ତ୍ରୁଟି ଏହାର କାରଣ ହୋଇଥାଇପାରେ ବୋଲି ପ୍ରାରମ୍ଭିକ ଭାବେ ଅନୁମାନ କରାଯାଉଛି। ମୃତକଙ୍କ ପରିଚୟ ଚିହ୍ନଟ ଓ ଆହତଙ୍କ ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

