Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଦ୍ଧବଙ୍କ ଗଡ଼ରେ ଶିନ୍ଦେଙ୍କ ନୂଆ ଦାଉ! ମୁମ୍ବାଇରେ ହେବ କି ନୂଆ ‘ସେନା ଭବନ’?

ମହାରାଷ୍ଟ୍ରର ରାଜନୀତିରେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ। ଉଦ୍ଧବ ଠାକରେଙ୍କ ଶିବସେନାର ୬ ଜଣ ସାଂସଦଙ୍କୁ ନିଜ ଶିବିରକୁ ଆଣିବା ପରେ ବର୍ତ୍ତମାନ ଶିନ୍ଦେ ଗୋଷ୍ଠୀ ମୁମ୍ବାଇରେ ଏକ ନୂଆ ‘ସେନା ଭବନ’ ନିର୍ମାଣ ପାଇଁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି। ଏହା ପାଇଁ ଦାଦର ଏବଂ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (BKC) ଅଞ୍ଚଳରେ ଜମି ଖୋଜା ଚାଲିଛି। ବିଶେଷ କରି ମରାଠୀ ବହୁଳ ଦାଦର ଅଞ୍ଚଳକୁ ଶିନ୍ଦେ ପ୍ରାଥମିକତା ଦେଉଥିବା ଜଣାପଡ଼ିଛି।

ସୂତ୍ର ଅନୁଯାୟୀ, ମହାରାଷ୍ଟ୍ରରେ ଦଳର ସାଙ୍ଗଠନିକ ବିସ୍ତାର ସହ ଶିନ୍ଦେ ଗୋଷ୍ଠୀକୁ ଏକ ସ୍ଥାୟୀ ମୁଖ୍ୟାଳୟର ଆବଶ୍ୟକତା ଅନୁଭବ ହେଉଛି। ବର୍ତ୍ତମାନର ରାଜନୈତିକ ସ୍ଥିତିରେ ମୁମ୍ବାଇରେ ଦଳର ନିଜସ୍ୱ କେନ୍ଦ୍ରୀୟ କାର୍ଯ୍ୟାଳୟ ରହିବାକୁ ଶିବସେନା (ଶିନ୍ଦେ ଗୋଷ୍ଠୀ) ଗୁରୁତ୍ୱ ଦେଉଛି। ବିକେସିରେ ଏକ ସ୍ଥାନ ଚିହ୍ନଟ ହୋଇଥିବା ବେଳେ ଏହା ଉଦ୍ଧବ ଠାକରେଙ୍କ ବାସଭବନ ‘ମାତୋଶ୍ରୀ’ ନିକଟରେ ଥିବାରୁ ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ତେବେ ମରାଠୀ ଅସ୍ମିତାର ପ୍ରତୀକ ଭାବେ ଦାଦରକୁ ଅଧିକ ଉପଯୁକ୍ତ ସ୍ଥାନ ବୋଲି ଦଳ ଭିତରେ ମତ ପ୍ରକାଶ ପାଉଛି।

ରାଜନୈତିକ ବିଶ୍ଳେଷକଙ୍କ ମତରେ, ନୂଆ ‘ସେନା ଭବନ’ କେବଳ ଏକ କାର୍ଯ୍ୟାଳୟ ନୁହେଁ, ବରଂ ମୁମ୍ବାଇ ଓ ମହାରାଷ୍ଟ୍ରରେ ନିଜର ପ୍ରଭାବ ଓ ଦାବିକୁ ସୁଦୃଢ଼ କରିବା ପାଇଁ ଶିନ୍ଦେଙ୍କ ଏକ ବଡ଼ ରାଜନୈତିକ ପଦକ୍ଷେପ ହୋଇପାରେ। ଯଦି ଏହି ପ୍ରକଳ୍ପ ସାକାର ହୁଏ, ତେବେ ଏହା ଉଦ୍ଧବ ଠାକରେ ଓ ଏକନାଥ ଶିନ୍ଦେଙ୍କ ମଧ୍ୟରେ ଚାଲିଥିବା ଶିବସେନାର ଉତ୍ତରାଧିକାର ଲଢ଼େଇକୁ ଆହୁରି ତୀବ୍ର କରିପାରେ। ବର୍ତ୍ତମାନ ଦାଦରର ଏକ ସ୍ଥାନ ଚୂଡ଼ାନ୍ତ ହେବାର ସମ୍ଭାବନା ଥିବା ବେଳେ ଶିନ୍ଦେ ଶିବିର ଏହାକୁ ନେଇ ଶୀଘ୍ର ବଡ଼ ଘୋଷଣା କରିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ