Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲିଭ୍-ଇନ୍ ସାଥୀଙ୍କ ସହ ରହୁଥିବା ପୂର୍ବତନ AAP ପ୍ରାର୍ଥୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

ଗୁଜରାଟର ରାଜକୋଟରେ ୨୩ ବର୍ଷୀୟା ପୂର୍ବତନ ଆମ୍ ଆଦମୀ ପାର୍ଟି (AAP) ପ୍ରାର୍ଥୀ ନନ୍ଦନୀ ବୋସମିଆଙ୍କ ଝୁଲନ୍ତା ମୃତଦେହ ତାଙ୍କ ଫ୍ଲାଟରୁ ଉଦ୍ଧାର ହୋଇଛି। ଜେତପୁର-ନବାଗଡ଼ ପୌର ନିର୍ବାଚନରେ AAP ପକ୍ଷରୁ ପ୍ରାର୍ଥୀ ହୋଇଥିବା ନନ୍ଦନୀ ଜଣେ ମେଡିକାଲ୍ ରିପ୍ରେଜେଣ୍ଟେଟିଭ୍ ଥିଲେ। ଘଟଣା ପରେ ତାଙ୍କ ପରିବାର ପକ୍ଷରୁ ଏହାକୁ ହତ୍ୟା ବୋଲି ଅଭିଯୋଗ କରାଯାଇଥିବା ବେଳେ, ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

ପରିବାରର ଅଭିଯୋଗ ଅନୁସାରେ, ନନ୍ଦନୀ ବିବାହିତ ଆସଲମ ହୁସେନ ସାମାଙ୍କ ସହ ଲିଭ୍-ଇନ୍ ସମ୍ପର୍କରେ ରହୁଥିଲେ। ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ବିବାଦ ହେଉଥିଲା ଏବଂ ନନ୍ଦନୀ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଉଥିବା ତାଙ୍କ ପରିବାର ଦାବି କରିଛି। ନନ୍ଦନୀଙ୍କ ବାପାଙ୍କ କହିବା ଅନୁଯାୟୀ, ଆସଲମ ଓ ତାଙ୍କ ପରିବାର ଲୋକେ ପୂର୍ବରୁ ମଧ୍ୟ ନନ୍ଦନୀଙ୍କୁ ହଇରାଣ କରୁଥିଲେ। ତାଙ୍କୁ ହତ୍ୟା କରି ପରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ପରିବାର କରିଛି।

ପୁଲିସ ସୂଚନା ଅନୁସାରେ, ନନ୍ଦନୀଙ୍କ ପରିବାର ସଦସ୍ୟମାନେ ଯୋଗାଯୋଗ କରିପାରିନଥିବାରୁ ଜଣେ ପରିଚିତଙ୍କୁ ଫ୍ଲାଟକୁ ପଠାଇଥିଲେ। ସେଠାରେ ଫ୍ଲାଟର ଦ୍ୱାର ଆଧା ଖୋଲା ଥିବା ବେଳେ ଘର ଭିତରେ ନନ୍ଦନୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ପ୍ରାଥମିକ ତଦନ୍ତରେ ମୃତ୍ୟୁ ଫାଶୀ ଯୋଗୁଁ ହୋଇଥିବା ସଙ୍କେତ ମିଳିଥିଲେ ମଧ୍ୟ, ପରିବାରର ହତ୍ୟା ଅଭିଯୋଗକୁ ଦୃଷ୍ଟିରେ ରଖି ପୁଲିସ ସମସ୍ତ ଦିଗରୁ ତଦନ୍ତ କରୁଛି। ପୋଷ୍ଟମର୍ଟମ ଓ ଫରେନ୍ସିକ୍ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ