Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା, ୬ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ କଲା ରେଙ୍ଗାଲି ପୁଲିସ, ଅଭିଯୁକ୍ତ ପୁରୁଷ ବନ୍ଧୁ ସହ ପତ୍ନୀ ଗିରଫ ଓ କୋର୍ଟ ଚାଲାଣ

ଝାରସୁଗୁଡ଼ା, ୨୫/୬ (ଓଡ଼ିଶା ନ୍ୟୁଜ୍): ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସାଗରପାଲି ସାହୁପଡ଼ା (ଡୁଙ୍ଗୁରିପଡ଼ା)ରେ ଘଟିଥିବା ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ରେଙ୍ଗାଲି ପୁଲିସ। ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ବିଲରେ ଫିଙ୍ଗି ଦେଇଥିବା ଅଭିଯୋଗରେ ସ୍ତ୍ରୀ ଓ ସହଯୋଗୀ ପୁରୁଷ ବନ୍ଧୁଙ୍କୁ ପୁଲିସ ଗିରଫ କରିଛି। ମାମଲା ରୁଜୁ ହେବାର ମାତ୍ର ୬ ଘଣ୍ଟା ମଧ୍ୟରେ ପୁଲିସ ଘଟଣାର ରହସ୍ୟ ଉନ୍ମୋଚନ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ସାଗରପାଲି ସାହୁପଡ଼ା (ଡୁଙ୍ଗୁରିପଡ଼ା)ର ମୃତକ ଷଷ୍ଠୀଧରଙ୍କ ସ୍ତ୍ରୀ ଗୀତା ମିର୍ଦ୍ଧା (୪୦) ଓ ଟିକିନୁ କିଶାନ (୪୪)।
ପୁଲିସ ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାର ଖଣ୍ଡହତା ଅଞ୍ଚଳର ମୁଲ ବାସିନ୍ଦା ଷଷ୍ଠୀଧର ଓ ଗୀତା ଦୀର୍ଘ ୨୦ ବର୍ଷ ଧରି ସ୍ୱାମୀ-ସ୍ତ୍ରୀ ଭାବେ ସାଗରପାଲି ସାହୁପଡ଼ା (ଡୁଙ୍ଗୁରିପଡ଼ା) ରେ ରହୁଥିଲେ । ସେମାନଙ୍କ ଦୁଇ କନ୍ୟା ସନ୍ତାନ ରହିଛନ୍ତି। ପରିବାରିକ ବିବାଦ, ମଦ୍ୟପାନ ଅଭ୍ୟାସ ଓ ସମ୍ପର୍କରେ ତିକ୍ତତା କାରଣରୁ ଘରେ ପ୍ରାୟତଃ କଳହ ଲାଗି ରହୁଥିଲା । ଗତ ୨୩ ରାତିରେ ରାତିରେ ଷଷ୍ଠୀଧର, ଗୀତା ଓ ଟିକିନୁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ତାହା ଉଗ୍ରରୂପ ଧାରଣ କରି ଟିକିନୁ ଷଷ୍ଠୀଧରଙ୍କୁ ଧକ୍କା ଦେବାରୁ ସେ ତଳେ ପଡ଼ି ଯାଇଥିଲେ ଏବଂ ସ୍ତ୍ରୀ ଗୀତା ଏକ କାଠ ଖଣ୍ଡରେ ଆକ୍ରମଣ କରିବାରୁ ଷଷ୍ଠୀଧରଙ୍କ ମୃତ୍ୟୁ ଘଟିଥିଲା । ପରେ ଦୁଇ ଅଭିଯୁକ୍ତ ମିଶି ମୃତଦେହକୁ ନେଇ ନିକଟସ୍ଥ ଏକ ବିଲରେ ଫିଙ୍ଗି ଦେଇଥିଲେ। ତା ପରଦିନ ଅର୍ଥାତ୍ ୨୪ ତାରିଖ ସକାଳେ ସାଗରପାଲି ସାହୁପଡ଼ା ଗାଁର ଏକ ବିଲରେ ଷଷ୍ଠୀଧରଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ।
ଖବର ପାଇ ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ ଓ ଡଗ ସ୍କ୍ୱାର୍ଡଙ୍କ ସହାୟତାରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ଟେକ୍ନିକାଲ ତଥ୍ୟ, ସ୍ଥାନୀୟ ଲୋକଙ୍କ ବୟାନ ଆଧାରରେ ପୁଲିସ ଗୀତା ଓ ଟିକିନୁ ଙ୍କୁ ଥାନାରେ ଅଟକ ରଖିଥିଲା। ଜେରା ପରେ ଉକ୍ତ ଘଟଣାରେ ଉଭୟଙ୍କ ସମ୍ପୃକ୍ତି ଥିବା ପୁଲିସ ଜାଣି ପାରିଥିଲା ଏବଂ ସେମାନଙ୍କ ନିକଟରୁ ରକ୍ତଲଗା ପୋଷାକ, ରକ୍ତ ଚିହ୍ନ ଥିବା ସାମଗ୍ରୀ ଓ ଘଟଣାରେ ବ୍ୟବହୃତ କାଠ ଖଣ୍ଡ ଜବତ କରିଛି। ମୃତକଙ୍କ ଭାଇ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଖଣ୍ଡହତା ଗ୍ରାମର ଦିନବନ୍ଧୁ ସାହୁ (୪୫) ରେଙ୍ଗାଲି ଥାନାରେ ଏକ ଲିଖିତ ଅଭିଯୋଗ ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୦୩(୧), ୨୩୮(ଏ) ଓ ୩(୫) ଅନୁଯାୟୀ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରା ଯାଇଥିବା ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ସୁଚନା ଦେଇଛନ୍ତି । ଏଥିସହ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ରେଙ୍ଗାଲି ପୁଲିସ ପକ୍ଷରୁ କୁହା ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories