Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଲଖନପୁର ବ୍ଲକ ଗସ୍ତପଲସଦା ସ୍କୁଲ ଓ,ସ୍ୱାସ୍ଥ୍ୟ କେନ୍ଦ୍ର, ଭିକମପାଲି ଆରଆଇ ଅଫିସର ସ୍ଥିତି ଯାଞ୍ଚ

ଝାରସୁଗୁଡ଼ା ୨୫/୬ (ଓଡ଼ିଶା ନ୍ୟୁଜ୍): ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଗୁରୁବାର ଲଖନପୁର ବ୍ଲକ ଗସ୍ତ କରି ବିଭିନ୍ନ ସରକାରୀ ପ୍ରତିଷ୍ଠାନର କାର୍ଯ୍ୟଧାରା ସମୀକ୍ଷା କରିଛନ୍ତି। ଲୋକଙ୍କୁ ମିଳୁଥିବା ସରକାରୀ ସେବାର ଗୁଣବତ୍ତା ଓ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଏହି ପରିଦର୍ଶନ କରିଥିଲେ।
ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାପାଳ ଭିକମପାଲି ରାଜସ୍ୱ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ପହଞ୍ଚି ଜମିଜମା ସମ୍ବନ୍ଧୀୟ ରେକର୍ଡପତ୍ର, ରାଜସ୍ୱ କାର୍ଯ୍ୟ ଓ ଜନ ସାଧାରଣଙ୍କୁ ମିଳୁଥିବା ସେବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। କାର୍ଯ୍ୟାଳୟକୁ ଅଧିକ ଲୋକାଭିମୁଖୀ କରିବା ସହ ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ ଉପରେ ସେ ଗୁରୁତ୍ୱ ଦେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ଏହା ପରେ ଜିଲ୍ଲାପାଳ ପଲସଦା ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରି ଶିକ୍ଷାଦାନ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନର ମାନ, ବିଦ୍ୟାଳୟର ପରିମଳ ବ୍ୟବସ୍ଥା ଓ ଭିତ୍ତିଭୂମି ସ୍ଥିତି ଯାଞ୍ଚ କରିଥିଲେ। ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ପାଠପଢ଼ା ଓ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଗୁଣାତ୍ମକ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଉପରେ ଧ୍ୟାନ ଦେବାକୁ ଶିକ୍ଷକମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।
ଶେଷରେ ଜିଲ୍ଲାପାଳ ପଲସଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ରୋଗୀଙ୍କ ଚିକିତ୍ସା ସେବା, ଔଷଧ ମହଜୁଦ ସ୍ଥିତି, ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱଚ୍ଛତା ଓ ଅନ୍ୟାନ୍ୟ ବ୍ୟବସ୍ଥାର ତଦାରଖ କରିଥିଲେ। ସମସ୍ତ ସରକାରୀ କାର୍ଯ୍ୟାଳୟରେ ସେବା ପ୍ରଦାନକୁ ସ୍ୱଚ୍ଛ, ସୁଗମ ଓ ତ୍ୱରିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ବିଭାଗୀୟ ଅଧିକାରୀ, ଶିକ୍ଷକ, ସ୍ୱାସ୍ଥ୍ୟ କର୍ମଚାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories