Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଦମପୁର–ଜରିମୁଳି ସମ୍ପର୍କ ସେତୁ ପ୍ରକଳ୍ପର ସମୀକ୍ଷା କଲେ ଜିଲ୍ଲାପାଳ, ନିର୍ଦ୍ଧାରିତ ସମୟରେ ଗୁଣାତ୍ମକ ମାନ ବଜାୟ ରଖି କାମ ସାରିବାକୁ ନିର୍ଦ୍ଦେଶ

ଝାରସୁଗୁଡ଼ା ୨୫/୬ (ଓଡ଼ିଶା ନ୍ୟୁଜ୍):ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ପଦମପୁର ଓ ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକର ଜରିମୁଳିକୁ ସଂଯୋଗ କରୁଥିବା ନିର୍ମାଣାଧୀନ ସମ୍ପର୍କ ସେତୁ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚାହ୍ୱାଣ। ଗୁରୁବାର ଜିଲ୍ଲାପାଳ ଶ୍ରୀ ଚାହ୍ୱାଣ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଚାଲିଥିବା ନିର୍ମାଣ କାର୍ଯ୍ୟର ଯାଞ୍ଚ କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ସେତୁର ବିଭିନ୍ନ ଅଂଶରେ ଚାଲିଥିବା କାମର ମାନ, ପ୍ରଗତି ଓ ନିର୍ମାଣ ପ୍ରକ୍ରିୟା ସମ୍ପର୍କରେ ଅଧିକାରୀ ଓ ଯନ୍ତ୍ରୀ ମାନଙ୍କ ଠାରୁ ତଥ୍ୟ ନେଇଥିଲେ। ସେତୁ ନିର୍ମାଣରେ ଗୁଣାତ୍ମକ ମାନ, ସୁରକ୍ଷା ବ୍ୟବସ୍ଥା ଓ କାର୍ଯ୍ୟର ସ୍ଥାୟୀତ୍ୱକୁ ପ୍ରାଥମିକତା ଦେବା ସହ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ସମାପ୍ତ କରିବାକୁ ସମ୍ପୃକ୍ତ ବିଭାଗ ଓ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲା ମଧ୍ୟରେ ଯାତାୟାତ ଅଧିକ ସୁଗମ ହେବା ସହ ଉଭୟ ଜିଲ୍ଲା ମଧ୍ୟରେ ବାଣିଜ୍ୟ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ କ୍ଷେତ୍ରର ବିକାଶକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି। ସେତୁ ଦ୍ୱାରା ଦୁଇ ଜିଲ୍ଲା ମଧ୍ୟରେ ଦୂରତା ଓ ଯାତାୟାତ ସମୟ କମିବା ସହ ସ୍ଥାନୀୟ ଲୋକେ ବିଶେଷ ଭାବେ ଉପକୃତ ହୋଇ ପାରିବେ । ଦୀର୍ଘ ଦିନର ଦାବି ପରେ ନିର୍ମାଣାଧୀନ ଏହି ସେତୁ ଦୁଇ ଜିଲ୍ଲା ମଧ୍ୟରେ ସଂଯୋଗର ଏକ ନୂଆ ମାଧ୍ୟମ ସୃଷ୍ଟି କରିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି। ପରିଦର୍ଶନ ସମୟରେ ଲଖନପୁର ଅତିରିକ୍ତ ତହସିଲଦାର କୁଳମଣି ଦଳେଇ, ଓଡ଼ିଶା ସେତୁ ଓ ନିର୍ମାଣ ନିଗମର କନିଷ୍ଠ ଯନ୍ତ୍ରୀ ଗୋଲାପ କିସାନ, ଗାୟତ୍ରୀ ଠିକା ସଂସ୍ଥାର ପ୍ରତିନିଧି ରାଜୀବ ଲୋଚନଙ୍କ ସମେତ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ନିର୍ମାଣ ସଂସ୍ଥାର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories