ଏଣିକି ବିବାହ କାର୍ଡରେ ବର-କନ୍ୟାଙ୍କ ଜନ୍ମ ତାରିଖ ଲେଖିବା ବାଧ୍ୟତାମୂଳକ! ବାଲ୍ୟବିବାହ ରୋକିବାକୁ ମହାରାଷ୍ଟ୍ର ସରକାରଙ୍କ ବଡ଼ ପଦକ୍ଷେପ
ମୁମ୍ବାଇ: ବାଲ୍ୟବିବାହ ଭଳି କୁପ୍ରଥାକୁ ରୋକିବା ପାଇଁ ମହାରାଷ୍ଟ୍ର ସରକାର ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି। ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, ଆଗାମୀ ଦିନରେ ବିବାହ ନିମନ୍ତ୍ରଣ କାର୍ଡରେ ବର ଓ କନ୍ୟାଙ୍କ ଜନ୍ମ ତାରିଖ ଉଲ୍ଲେଖ କରିବାକୁ ବାଧ୍ୟତାମୂଳକ କରାଯାଇପାରେ। ଏହି ପଦକ୍ଷେପ ମାଧ୍ୟମରେ ବିବାହ ପୂର୍ବରୁ ବୟସ ଯାଞ୍ଚ କରିବା ସହଜ ହେବ ଏବଂ ବାଲ୍ୟବିବାହକୁ ରୋକିବାରେ ସହାୟକ ହେବ ବୋଲି ସରକାର ଆଶା କରୁଛନ୍ତି।
ମହାରାଷ୍ଟ୍ରର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଦିତି ତତ୍କର ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ସରକାର ଏହି ପ୍ରସ୍ତାବ ଉପରେ ଗମ୍ଭୀରତାର ସହ ବିଚାର କରୁଛନ୍ତି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ବାଲ୍ୟବିବାହ ଘଟଣାକୁ ହ୍ରାସ କରିବା ଏବଂ ଆଇନର କଡ଼ା କାର୍ଯ୍ୟକାରିତା ସୁନିଶ୍ଚିତ କରିବା।
ମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ମହାରାଷ୍ଟ୍ରରେ ବାଲ୍ୟବିବାହ ଘଟଣାକୁ ୧୦ ପ୍ରତିଶତରୁ କମ୍ କରିବା ସରକାରଙ୍କ ଲକ୍ଷ୍ୟ। ଏହି ଉଦ୍ଦେଶ୍ୟରେ ରାଜସ୍ଥାନରେ ଅନୁସରଣ କରାଯାଉଥିବା ପ୍ରକ୍ରିୟାକୁ ଅଧ୍ୟୟନ କରିବା ପାଇଁ ମହାରାଷ୍ଟ୍ର ସରକାର ସେଠାକାର ସରକାରଙ୍କୁ ଚିଠି ଲେଖିଛନ୍ତି।
ଏହା ସହିତ ଗ୍ରାମୀଣ ବିକାଶ, ଆଇନ ଓ ନ୍ୟାୟ ବିଭାଗ ସହ ସମନ୍ୱୟ କରି ଏହି ନିୟମକୁ କିପରି କାର୍ଯ୍ୟକାରୀ କରାଯିବ, ସେ ନେଇ ଶୀଘ୍ର ବିସ୍ତୃତ ଆଲୋଚନା ହେବ। ସମସ୍ତ ଆଇନଗତ ଓ ପ୍ରଶାସନିକ ଦିଗକୁ ଯାଞ୍ଚ କରିବା ପରେ ଅନ୍ତିମ ନିଷ୍ପତ୍ତି ନିଆଯିବ।
ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ବିବାହ କାର୍ଡ କେବଳ ନିମନ୍ତ୍ରଣ ପତ୍ର ନୁହେଁ, ବରଂ ବର-କନ୍ୟାଙ୍କ ବୈଧ ବୟସ ସମ୍ପର୍କରେ ଏକ ପ୍ରାଥମିକ ସୂଚନାପତ୍ର ଭାବେ ମଧ୍ୟ କାମ କରିବ। ସରକାରଙ୍କ ବିଶ୍ୱାସ ଯେ, ଏହି ବ୍ୟବସ୍ଥା ବାଲ୍ୟବିବାହ ବିରୋଧରେ ଲଢ଼େଇକୁ ଆହୁରି ସୁଦୃଢ଼ କରିବ।

