Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇରାନ ଉପରେ ଆମେରିକାର ବିମାନ ଆକ୍ରମଣ, ଭିଡିଓ ଜାରି କଲା ସେଣ୍ଟ୍ରାଲ କମାଣ୍ଡ; ତେହେରାନକୁ କଡ଼ା ଚେତାବନୀ

ଇରାନ ବିରୋଧରେ ଆମେରିକା ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ କରିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ଦାବି କରିଛି ଯେ, ଇରାନର ମିସାଇଲ, ଡ୍ରୋନ ଭଣ୍ଡାର ଓ ଉପକୂଳବର୍ତ୍ତୀ ରାଡାର କେନ୍ଦ୍ର ଉପରେ ସଠିକ୍ ବିମାନ ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ପରେ ଆମେରିକା ୩୭ ସେକେଣ୍ଡର ଏକ ଭିଡିଓ ମଧ୍ୟ ଜାରି କରିଛି। ଆମେରିକା କହିଛି ଯେ, ଜୁନ୍ ୨୫ ତାରିଖରେ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସିଙ୍ଗାପୁର ପତାକାବାହୀ ମାଲବାହୀ ଜାହାଜ M/V Ever Lovely ଉପରେ ଇରାନ ପକ୍ଷରୁ ଡ୍ରୋନ ଆକ୍ରମଣ ହୋଇଥିଲା। ଏହାର ପ୍ରତିକ୍ରିୟା ସ୍ୱରୂପ ଏହି ସାମରିକ ଅଭିଯାନ ଚଳାଯାଇଥିବା କୁହାଯାଇଛି।

ସେଣ୍ଟ୍ରାଲ କମାଣ୍ଡର ବିବୃତ୍ତି ଅନୁସାରେ, ବ୍ୟବସାୟିକ ଜାହାଜ ଉପରେ ଇରାନର ଆକ୍ରମଣ ଅନ୍ତର୍ଜାତୀୟ ସମୁଦ୍ର ଯାତାୟାତ ନିୟମ ଏବଂ ଯୁଦ୍ଧବିରତି ଚୁକ୍ତିର ସ୍ପଷ୍ଟ ଉଲ୍ଲଂଘନ। ଏଭଳି କାର୍ଯ୍ୟ ବିଶ୍ୱ ବାଣିଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀରେ ନୌ-ଚଳାଚଳର ସ୍ୱାଧୀନତାକୁ ବିପଦରେ ପକାଉଛି। ଆମେରିକା କହିଛି ଯେ, ଏହି ସମୁଦ୍ରପଥ ଦେଇ ବିଶ୍ୱର ପ୍ରାୟ ଏକ-ପଞ୍ଚମାଂଶ ଅଶୋଧିତ ତୈଳ ଓ ତରଳ ପ୍ରାକୃତିକ ଗ୍ୟାସ ପରିବହନ ହୋଇଥାଏ। ସେଥିପାଇଁ ବ୍ୟବସାୟିକ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ନିଶ୍ଚିତ କରିବାକୁ ଆମେରିକୀୟ ସେନା ସତର୍କ ରହିଛି।

ଆମେରିକା ଆହୁରି କହିଛି ଯେ, ଇରାନ ସହ ହୋଇଥିବା ସମସ୍ତ ବୁଝାମଣା ଓ ଚୁକ୍ତିର ପାଳନ ସୁନିଶ୍ଚିତ କରିବା ପାଇଁ ଆମେରିକୀୟ ସେନା ଏହି ଅଞ୍ଚଳରେ ମୁତୟନ ରହିବ। ଅନ୍ୟପଟେ, ଏହି ଆକ୍ରମଣ ପରେ ଇରାନ ପକ୍ଷରୁ କଡ଼ା ପ୍ରତିକ୍ରିୟା ଆସିଛି। ତେହେରାନ ଏହାର ଉଚିତ ଜବାବ ଦିଆଯିବ ବୋଲି ସତର୍କ କରିଥିବାରୁ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ବଢ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ