Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ବିରୋଧ ଦିବସ ପାଳନ ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ପଦଯାତ୍ରା ଓ ଗୀତିନାଟ୍ୟ ପରିବେଷଣ

ଝାରସୁଗୁଡ଼ା, ୨୭/୬ (ଓଡ଼ିଶା ନ୍ୟୁଜ୍): ଝାରସୁଗୁଡ଼ା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜିଲ୍ଲା ଅବକାରୀ ବିଭାଗ ଝାରସୁଗୁଡ଼ାରଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟ ଠାରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରା ଚାଲାଣ ବିରୋଧ ଦିବସ-୨୦୨୬ ପାଳିତ ହୋଇ ଯାଇଛି।
ଏହି ଅବସରରେ ସକାଳ ୭ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ପଦଯାତ୍ରା ବାହାରି କିଷାନ ଛକ ଓ ବେହେରାମାଲ ଛକ ଦେଇ ପୁନର୍ବାର ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ପ୍ରଦର୍ଶନ କରି ପଦଯାତ୍ରାର ଶୁଭାରମ୍ଭ କରିଥିଲେ।
ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇ ଥିଲେ। ଉକ୍ତ ସଚେତନତା ସଭାରେ ନିଶା ସେବନର ସାମାଜିକ, ଆର୍ଥିକ ଓ ସ୍ୱାସ୍ଥ୍ୟଗତ କୁପ୍ରଭାବ ସମ୍ପର୍କରେ ଆଲୋଚନା କରା ଯାଇଥିଲା। ଦେଶର ଆଗାମୀ ଯୁବପିଢ଼ି ନିଶା ଠାରୁ ଦୂରେ ରହି ସୁସ୍ଥ ଓ ଶୃଙ୍ଖଳିତ ଜୀବନ ଶୈଳୀ ଅବଲମ୍ବନ କରିବା ସହ ସମାଜକୁ ନିଶାମୁକ୍ତ କରିବା ପାଇଁ ସମସ୍ତଙ୍କ ସମ୍ମିଳିତ ପ୍ରୟାସ ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। “ନିଶାମୁକ୍ତ ଭାରତ ଅଭିଯାନ – ବିକଶିତ ଭାରତର ପରିଚୟ” ବାର୍ତ୍ତା ନେଇ “ନିଶାକୁ ନା କୁହନ୍ତୁ”, “ନିଶାମୁକ୍ତ ସମାଜ ଗଢ଼ନ୍ତୁ”, “ସୁସ୍ଥ ଯୁବଶକ୍ତି, ସମୃଦ୍ଧ ଭାରତ ଗଠନ” ଭଳି ଜନ ସଚେତନତା ମୂଳକ ବାର୍ତ୍ତା ଦେଇଥିଲେ । ପରେ ବେଳପାହାଡ଼ ସ୍ଥିତ ମିରର ଥିଏଟର ପକ୍ଷରୁ ନିଶା ସେବନର କୁପ୍ରଭାବ ଉପରେ ଆଧାରିତ ଏକ ସଚେତନତା ମୂଳକ ଗୀତିନାଟ୍ୟ ପରିବେଷଣ କରା ଯାଇଥିଲା। ଏହା ଉପସ୍ଥିତ ଦର୍ଶକଙ୍କୁ ସଚେତନ କରିବା ସହ ବେଶ୍ ପ୍ରଭାବିତ କରିଥିଲା। ଶେଷରେ କନିଷ୍ଠ କିରାଣି ଆଦିତ୍ୟ କୁମାର ବାଦୀ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରିଥିଲେ।
ଏହି ଅବସରରେ ପୂର୍ବରୁ ଆୟୋଜିତ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଅବକାରୀ ଅଧୀକ୍ଷକ ପ୍ରଭାତ କୁମାର ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ବ୍ରହ୍ମକୁମାରୀ ଅନୁଷ୍ଠାନର ସଦସ୍ୟା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣାଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଓ ଅବକାରୀ ବିଭାଗର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories