ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର କ୍ୟାବିନେଟରେ ବଡ଼ ଅଦଳବଦଳ! ବଦଳିପାରେ ଅନେକ ମନ୍ତ୍ରୀଙ୍କ ଭାଗ୍ୟ
ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାରରେ ବଡ଼ ଧରଣର କ୍ୟାବିନେଟ୍ ପରିବର୍ତ୍ତନ ହେବାର ସମ୍ଭାବନା ଜୋର ଧରିଛି। ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର କେନ୍ଦ୍ର ମନ୍ତ୍ରିପରିଷଦରେ ଅଦଳବଦଳ କରିପାରନ୍ତି। ଏହା ସହିତ ବିଜେପିର ନୂତନ ସାଙ୍ଗଠନିକ ଟିମ୍ ମଧ୍ୟ ଘୋଷଣା ହେବାକୁ ଯାଉଛି। ନୂତନ ବିଜେପି ସଭାପତି ନିତିନ ନବୀନଙ୍କ ନେତୃତ୍ୱରେ ଗଠିତ “ଟିମ୍ ନିତିନ ନବୀନ”ରେ ଯୁବ ମୁହଁମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ୱ ମିଳିପାରେ। କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଦଳୀୟ ସଂଗଠନକୁ ପଠାଯାଇପାରେ, ସେହିପରି କିଛି ସାଙ୍ଗଠନିକ ନେତାଙ୍କୁ ମୋଦୀ ସରକାରରେ ସ୍ଥାନ ମିଳିବାର ସମ୍ଭାବନା ରହିଛି।
ସୂତ୍ରରୁ ଆହୁରି ଜଣାପଡ଼ିଛି ଯେ, କିଛି ମନ୍ତ୍ରଣାଳୟରେ “ନୂଆ ଚେହେରା” ଆଣିବାକୁ ସରକାର ଚିନ୍ତା କରୁଛନ୍ତି। କେତେକ ମନ୍ତ୍ରୀଙ୍କ ବିଭାଗ ମଧ୍ୟ ପରିବର୍ତ୍ତନ ହୋଇପାରେ। ବିଶେଷକରି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବିଷ୍ୟତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ନିଟ୍ ପ୍ରଶ୍ନପତ୍ର ଲିକ୍ ଏବଂ ସିବିଏସଇ ଡିଜିଟାଲ ମାର୍କିଂ ବ୍ୟବସ୍ଥାକୁ ନେଇ ହୋଇଥିବା ବିବାଦ ପରେ ତାଙ୍କ ବିଭାଗରେ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି। ତେବେ ଏସବୁ ନେଇ ସରକାରଙ୍କ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ।
ଏହି କ୍ୟାବିନେଟ୍ ପରିବର୍ତ୍ତନରେ ରାଜନୈତିକ ଏବଂ ଆଞ୍ଚଳିକ ସମୀକରଣକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ମିଳିଛି। ଉତ୍ତର ପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡ ଭଳି ଆଗାମୀ ବର୍ଷ ନିର୍ବାଚନ ଥିବା ରାଜ୍ୟରୁ ଅଧିକ ପ୍ରତିନିଧିଙ୍କୁ କେନ୍ଦ୍ର ମନ୍ତ୍ରିପରିଷଦରେ ସ୍ଥାନ ମିଳିପାରେ। ପଶ୍ଚିମବଙ୍ଗରେ ବିଜେପିର ସଫଳତା ପରେ ସେଠାର କିଛି ସାଂସଦଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇପାରେ। ସେହିପରି କିଛି ମନ୍ତ୍ରୀଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତ କରିବା ନେଇ ମଧ୍ୟ ଚର୍ଚ୍ଚା ରହିଛି। ତେବେ ପ୍ରଧାନମନ୍ତ୍ରୀ ମୋଦୀ ସାଧାରଣତଃ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏପରି ନିଷ୍ପତ୍ତିକୁ ଗୋପନ ରଖୁଥିବାରୁ ସରକାରୀ ଘୋଷଣା ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।

