ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇପାରେ ନିଟ୍-ୟୁଜି ପୁନଃପରୀକ୍ଷା ଫଳ
ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ଜୁନ୍ ୨୧ରେ ଆୟୋଜିତ ନିଟ୍-ୟୁଜି ପୁନଃପରୀକ୍ଷାର ଫଳାଫଳ ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇପାରେ। ପରୀକ୍ଷାର୍ଥୀମାନେ ଏନ୍ଟିଏର ଅଧିକୃତ ୱେବସାଇଟରେ ଲଗ୍ଇନ୍ କରି ନିଜର ଫଳାଫଳ ଦେଖିପାରିବେ। ଚଳିତ ବର୍ଷ ମେ ୩ରେ ହୋଇଥିବା ନିଟ୍-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ଏହାକୁ ବାତିଲ କରାଯାଇ ଜୁନ୍ ୨୧ରେ ପୁନଃପରୀକ୍ଷା ଆୟୋଜନ କରାଯାଇଥିଲା।
ଚଳିତ ବର୍ଷ ନିଟ୍-ୟୁଜି ପାଇଁ ୨୨.୭୯ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜିକରଣ କରିଥିଲେ। ମେ ୩ର ପରୀକ୍ଷାରେ ୨୨.୦୫ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ପୁନଃପରୀକ୍ଷାରେ ପ୍ରାୟ ୨୦ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଅର୍ଥାତ୍ ପ୍ରାୟ ୨.୭୯ ଲକ୍ଷ ପରୀକ୍ଷାର୍ଥୀ ପୁନଃପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। ଏହା ଫଳରେ ପରୀକ୍ଷାରେ ଉପସ୍ଥିତି ହାର ୮୭.୭୫ ପ୍ରତିଶତ ରହିଥିଲା।
ଦେଶର ୫୫୧ଟି ସହରର ୫,୪୪୦ଟି କେନ୍ଦ୍ର ଏବଂ ବିଦେଶର ୧୪ଟି ସହରରେ ଏହି ପୁନଃପରୀକ୍ଷା ଆୟୋଜିତ ହୋଇଥିଲା। ଓଡ଼ିଶାର ୨୭ଟି ସହରର ୧୩୨ଟି କେନ୍ଦ୍ରରେ ୫୬,୯୮୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବାବେଳେ କେବଳ ଭୁବନେଶ୍ୱରରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରୀକ୍ଷାକୁ ସ୍ୱଚ୍ଛ ଓ ସୁରକ୍ଷିତ କରିବା ପାଇଁ ସମସ୍ତ କେନ୍ଦ୍ରରେ ସିସିଟିଭି, ମୋବାଇଲ୍ ଜାମର ଓ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

