ଜନ୍ମଗତ ନାଗରିକତାକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ: ‘କଂଗ୍ରେସରେ ଆଇନ ଆଣି ଏହାକୁ ବଦଳାଇ ପାରିବୁ’
ୱାଶିଂଟନ: ଆମେରିକାରେ ଜନ୍ମଗତ ନାଗରିକତା (Birthright Citizenship) ବ୍ୟବସ୍ଥାକୁ ବଜାୟ ରଖି ସୁପ୍ରିମକୋର୍ଟ ରାୟ ଦେବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ଏହି ରାୟକୁ ଦେଶ ପାଇଁ “ଦୁର୍ଭାଗ୍ୟଜନକ” ବୋଲି କହିବା ସହ କଂଗ୍ରେସରେ ନୂଆ ଆଇନ ଆଣି ଏହି ବ୍ୟବସ୍ଥାକୁ ବଦଳାଇ ଦିଆଯାଇପାରିବ ବୋଲି କହିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଯେ, ଜନ୍ମଗତ ନାଗରିକତା ଆମେରିକା ପାଇଁ ବ୍ୟୟବହୁଳ ଏବଂ ଅନ୍ୟାୟପୂର୍ଣ୍ଣ ବ୍ୟବସ୍ଥା। ଏହାକୁ ବନ୍ଦ କରିବା ପାଇଁ କଂଗ୍ରେସ ତୁରନ୍ତ ଆଇନ ପ୍ରଣୟନ ପ୍ରକ୍ରିୟା ଆରମ୍ଭ କରିବା ଉଚିତ୍। ଏଭଳି ଆଇନ ପାଇଁ ସେ ନିଜର ପୂର୍ଣ୍ଣ ସମର୍ଥନ ରହିବ ବୋଲି ମଧ୍ୟ କହିଛନ୍ତି।
ଅନ୍ୟପଟେ, ଆମେରିକା ସୁପ୍ରିମକୋର୍ଟ ୬-୩ ମତରେ ଟ୍ରମ୍ପ ପ୍ରଶାସନର ସେହି କାର୍ଯ୍ୟନିର୍ବାହୀ ଆଦେଶକୁ ଖାରଜ କରିଛନ୍ତି, ଯେଉଁଥିରେ ବେଆଇନ ଭାବେ କିମ୍ବା ଅସ୍ଥାୟୀ ଭିସାରେ ରହୁଥିବା ପିତାମାତାଙ୍କ ସନ୍ତାନଙ୍କୁ ଆମେରିକୀୟ ନାଗରିକତା ନ ଦେବାକୁ ପ୍ରସ୍ତାବ ଥିଲା।
ପ୍ରଧାନ ବିଚାରପତି ଜନ୍ ରୋବର୍ଟସ୍ ରାୟରେ କହିଛନ୍ତି ଯେ, ଆମେରିକାର ସମ୍ବିଧାନର ୧୪ତମ ସଂଶୋଧନ ଅନୁଯାୟୀ, ଆମେରିକା ମାଟିରେ ଜନ୍ମ ନେଉଥିବା ପ୍ରାୟ ସମସ୍ତ ଶିଶୁ ଜନ୍ମରୁ ଆମେରିକୀୟ ନାଗରିକତା ପାଇବାକୁ ହକଦାର। ତେଣୁ ଏହି ଅଧିକାରକୁ କାର୍ଯ୍ୟନିର୍ବାହୀ ଆଦେଶ ଜରିଆରେ ବଦଳାଯାଇପାରିବ ନାହିଁ।
ତେବେ ଟ୍ରମ୍ପ ପ୍ରଶାସନ କହିଛି ଯେ, ବେଆଇନ ଭାବେ ଆମେରିକାର ନାଗରିକତା ହାସଲ କରିବା ପାଇଁ ହେଉଥିବା ‘ବର୍ଥ ଟୁରିଜମ୍’ ଭଳି କାର୍ଯ୍ୟକଳାପ ବିରୋଧରେ କଡ଼ା ପଦକ୍ଷେପ ଜାରି ରହିବ ଏବଂ ଆଇନର ଅପବ୍ୟବହାର କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

