ଉଭୟଙ୍କ ୩୬ଟି ଗୁଣ ମଧ୍ୟରୁ ୨୭ଟି ଗୁଣ ମେଳ ଖାଇଥିଲା।, କିନ୍ତୁ ହତ୍ୟା ପାଇଁ ୩ ଥର ଯୋଜନା କରିଥିଲେ ସିଆ ଓ ଚେତନ!
ପୁଣେର କେତନ ଅଗ୍ରୱାଲ ଓ ସିଆ ଗୋୟଲଙ୍କ ବିବାହ ନିଶ୍ଚିତ ହେବା ପୂର୍ବରୁ ଉଭୟଙ୍କ ଜନ୍ମକୁଣ୍ଡଳୀ ମିଳାଯାଇଥିଲା। ଜ୍ୟୋତିଷଙ୍କ ମତରେ, କେତନଙ୍କ ଦେବ ଗଣ ଓ ସିଆଙ୍କ ମନୁଷ୍ୟ ଗଣ ଥିବାରୁ ସେମାନଙ୍କ ମଧ୍ୟରେ ଭଲ ବୁଝାପଡ଼ା ରହିବ ବୋଲି କୁହାଯାଇଥିଲା। ଉଭୟଙ୍କ ୩୬ଟି ଗୁଣ ମଧ୍ୟରୁ ୨୭ଟି ଗୁଣ ମେଳ ଖାଇଥିଲା। ତେବେ କେତନ ହତ୍ୟା ମାମଲାର ତଦନ୍ତ କରୁଥିବା ପୋଲିସର ଦାବି ଅନୁଯାୟୀ, ସିଆ ଓ ତାଙ୍କ ସହଯୋଗୀ ଚେତନ ଚୌଧୁରୀ ହତ୍ୟା ପୂର୍ବରୁ ତିନିଥର ଚେଷ୍ଟା କରିଥିଲେ ଏବଂ ପୁଣେରେ ନିଜ ଘର ନିକଟରେ କେତନଙ୍କୁ ଖାଇକୁ ଠେଲିଦେବାର ରିହର୍ସଲ ମଧ୍ୟ କରିଥିଲେ।
ବର୍ତ୍ତମାନ ସିଆ ଓ ଚେତନ ୱଡଗାଓଁ ମାୱଲ ପୋଲିସ ହେପାଜତରେ ରହିଛନ୍ତି। ଉଭୟଙ୍କୁ ଜେରା କରାଯାଉଛି। ସୂତ୍ର ଅନୁଯାୟୀ, ପଚରାଉଚରା ବେଳେ ଚେତନ ବାରମ୍ବାର କାନ୍ଦୁଥିବାବେଳେ ସିଆ ଶାନ୍ତ ରହୁଛନ୍ତି, କିନ୍ତୁ ତଦନ୍ତରେ ସହଯୋଗ କରୁନାହାନ୍ତି। ଏପଟେ ଘଟଣା ପରେ ଲୋହଗଡ଼ କିଲ୍ଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି। କିଲ୍ଲାର ଏକ ଖାଇକୁ ‘ସିଆ ପଏଣ୍ଟ’ ବୋଲି ଡାକାଯିବାକୁ ଇତିହାସବିଦ୍ ଓ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି। ଐତିହାସିକ ସ୍ଥାନର ନାମ ପରିବର୍ତ୍ତନ କରିବା ଇତିହାସ ସହ ଛେଡ଼ଛାଡ଼ ବୋଲି ସେମାନେ କହିଛନ୍ତି।
ତଦନ୍ତର ଅଂଶ ଭାବେ ବୁଧବାର ପୁଣେ ପୋଲିସ ଅଭିଯୁକ୍ତ ଚେତନ ଚୌଧୁରୀଙ୍କୁ ଲୋହଗଡ଼ କିଲ୍ଲାକୁ ନେଇ ତାଙ୍କର ‘ଗେଟ୍ ଆନାଲିସିସ୍’ କରିଥିଲା। ସିସିଟିଭିରେ ହୁଡି ପିନ୍ଧିଥିବା ଜଣେ ଯୁବକଙ୍କ ଚାଲିବା ଶୈଳୀ ଓ ଶରୀର ଭାଷା ସହ ଚେତନଙ୍କ ଚାଲିବା ଢଙ୍ଗକୁ ମେଳ କରି ଯାଞ୍ଚ କରାଯାଉଛି। ୧୮ ଜୁନରେ ଘଟିଥିବା ଏହି ହତ୍ୟାକାଣ୍ଡର ତଦନ୍ତ ଜାରି ରହିଥିବାରୁ ବର୍ତ୍ତମାନ ପାଇଁ ଲୋହଗଡ଼ କିଲ୍ଲାକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ କରାଯାଇଛି।

