ସୁନା ଦର କମିଲା, କିନ୍ତୁ ବଜାରରୁ ଉଭାନ ହେଲେ କ୍ରେତା; ଚାହିଦା ୭୦% ହ୍ରାସ
ଦେଶରେ ସୁନାର ଦର ଲଗାତାର ହ୍ରାସ ପାଉଥିଲେ ମଧ୍ୟ ବଜାରରେ କ୍ରେତାଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ କମିଯାଇଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁସାରେ, ଦେଶରେ ସୁନାର ଚାହିଦା ୭୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଉଚ୍ଚ ଆମଦାନୀ ଶୁଳ୍କ, ଦୁର୍ବଳ କ୍ରୟ ପ୍ରବୃତ୍ତି ଏବଂ ଆଗକୁ ଦର ଆହୁରି କମିବ ବୋଲି ଆଶଙ୍କା ଯୋଗୁଁ ଗ୍ରାହକମାନେ ନୂଆ ସୁନା କିଣିବା ପରିବର୍ତ୍ତେ ପୁରୁଣା ଅଳଙ୍କାର ବିକ୍ରି କରିବାକୁ ଅଧିକ ପସନ୍ଦ କରୁଛନ୍ତି।
ଏମସିଏକ୍ସରେ ବୁଧବାର ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୧.୪୨ ଲକ୍ଷ ଟଙ୍କାରେ କାରବାର ହୋଇଥିଲା, ଯାହା ଚଳିତ ବର୍ଷର ସର୍ବୋଚ୍ଚ ସ୍ତରଠାରୁ ୫୦ ହଜାର ଟଙ୍କାରୁ ଅଧିକ କମ୍। ଏପ୍ରିଲରୁ ଜୁନ୍ ତ୍ରୈମାସିକ ମଧ୍ୟରେ ପ୍ରାୟ ୫୦ ଟନ୍ ପୁରୁଣା ସୁନା ବିକ୍ରି ହୋଇଥିବା ଆକଳନ କରାଯାଇଛି, ଯାହା ଗତ ବର୍ଷର ସମାନ ସମୟ ତୁଳନାରେ ୫୦ ପ୍ରତିଶତରୁ ଅଧିକ।
ବିଶେଷଜ୍ଞଙ୍କ ମତରେ, ବିଶ୍ୱ ବଜାରରେ ଆମେରିକୀୟ ଫେଡେରାଲ ରିଜର୍ଭ ପକ୍ଷରୁ ସୁଧ ହାର ଉଚ୍ଚ ରଖାଯିବାର ସମ୍ଭାବନା, ଡଲାରର ମଜବୁତି ଏବଂ ମୁଦ୍ରାସ୍ଫୀତି ଚିନ୍ତା ଯୋଗୁଁ ସୁନା ଉପରେ ଚାପ ବଢ଼ିଛି। ଆଗାମୀ ଦିନରେ ଆମେରିକାର ଚାକିରି ଓ ଉତ୍ପାଦନ ସମ୍ବନ୍ଧୀୟ ଆର୍ଥିକ ତଥ୍ୟ ଉପରେ ସୁନା ଦରର ପରବର୍ତ୍ତୀ ଦିଗ ନିର୍ଭର କରିବ ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି।

