ଶଶୁର ହତ୍ୟା ପଛରେ ଜ୍ୱାଇଁ! ଅଭିଯୁକ୍ତକୁ କୋର୍ଟ ଚାଲାଣ
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଡାଲଗୁମା ଗ୍ରାମରେ ଘଟିଥିବା ଶୁକଦେବ ଧରୁଆ ହତ୍ୟା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ମୃତକଙ୍କ ଜ୍ୱାଇଁ ଡିଙ୍ଗର ମାଝୀ (୨୭)ଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ, ଗତ ରବିବାର ରାତିରେ ଶୁକଦେବ ଧରୁଆ ନିଜ ବଗିଚା ଜଗିବା ପାଇଁ ଯାଇଥିଲେ। ପରଦିନ ସୋମବାର ସକାଳେ ତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣା ପରେ କୋକସରା ପୁଲିସ, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରଙ୍କ ସହାୟତାରେ ତଦନ୍ତ ଚଳାଇ ବିଭିନ୍ନ ପ୍ରମାଣ ସଂଗ୍ରହ କରିଥିଲା। ତଦନ୍ତ ଆଧାରରେ ଡିଙ୍ଗର ମାଝୀଙ୍କୁ ଗିରଫ କରାଯାଇଛି।
ତେବେ ଏହି ହତ୍ୟାକାଣ୍ଡରେ କେବଳ ଜଣେ ନୁହେଁ, ଆହୁରି କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ଡାଲଗୁମା ଗ୍ରାମବାସୀ। ଘଟଣାରେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ପୁଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି। ପୁଲିସ ପକ୍ଷରୁ ମାମଲାର ଅଧିକ ତଦନ୍ତ ଜାରି ରହିଛି।

