ଡୋକରିଚଞ୍ଚରା ପର୍ଯ୍ୟଟନସ୍ଥଳୀରେ ଅଘଟଣ, ପାହାଡ଼ରୁ ଖସି ପଡ଼ି ଯୁବକଙ୍କ ମୃତ୍ୟୁ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଡୁଡୁକାଠେଙ୍ଗା ପଞ୍ଚାୟତ ଅଧୀନ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଗୁଡ଼ହାଣ୍ଡି ଡୋକରିଚଞ୍ଚରା ପର୍ଯ୍ୟଟନସ୍ଥଳୀରେ ଏକ ଅଘଟଣ ଘଟିଛି। ପାହାଡ଼ରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଖଲିଗଡ଼ ଗ୍ରାମବାସୀ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ତେବେ ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ଘଟଣାସ୍ଥଳ ନିକଟରୁ ଯୁବକଙ୍କ ବାଇକ୍ ଜବତ କରାଯାଇଛି। ସେ ଏକାକୀ ପର୍ଯ୍ୟଟନସ୍ଥଳୀକୁ ଆସିଥିଲେ କିମ୍ବା ତାଙ୍କ ସହ ଆଉ କେହି ଥିଲେ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ଖବର ପାଇ ଆମପାଣି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଯୁବକ ଜଣକ ପାହାଡ଼ରୁ ଖସି ପଡ଼ିଲେ ଏବଂ ଏହା ଦୁର୍ଘଟଣା ନା ଅନ୍ୟ କୌଣସି କାରଣ ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

