Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଣ୍ଡିଆନଙ୍କ ହେଲିକେପ୍ଟର ଗସ୍ତକୁ ନେଇ ବଢ଼ିଲା ଅଡୁଆ; ନବୀନ-ପାଣ୍ଡିଆନଙ୍କୁ ଖୋର୍ଦ୍ଧା କୋର୍ଟର ନୋଟିସ୍

ନିର୍ବାଚନ ପୂର୍ବରୁ ତତ୍କାଳୀନ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ହେଲିକେପ୍ଟର ଗସ୍ତକୁ ନେଇ ଦାଖଲ ହୋଇଥିବା ମାମଲାରେ ଖୋର୍ଦ୍ଧା ଜିଲ୍ଲା କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କୁ ନୋଟିସ୍ ଜାରି କରିଛନ୍ତି। ଆଇନଜୀବୀ ସୁଧୀର ମହାନ୍ତିଙ୍କ ଦାଖଲ ଅଭିଯୋଗ ଉପରେ ଶୁଣାଣି କରି କୋର୍ଟ ଉଭୟଙ୍କୁ ଜୁଲାଇ ୧୫ ସୁଦ୍ଧା ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗରେ ସରକାରୀ ଅର୍ଥର ଅପବ୍ୟବହାର ହୋଇଥିବାରୁ ଉଭୟଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଦାବି କରାଯାଇଛି।

ଅଭିଯୋଗକାରୀ ସୁଧୀର ମହାନ୍ତି କହିଛନ୍ତି ଯେ, ସେ ପ୍ରାୟ ୪୦୦ ପୃଷ୍ଠାର ପ୍ରମାଣ ସହ କୋର୍ଟରେ ଆବେଦନ କରିଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବେ। ଅଭିଯୋଗ ଅନୁସାରେ, ନିର୍ବାଚନ ପୂର୍ବରୁ ପାଣ୍ଡିଆନଙ୍କ ହେଲିକେପ୍ଟର ଗସ୍ତରେ ବିପୁଳ ସରକାରୀ ଅର୍ଥ ବ୍ୟୟ ହୋଇଥିଲା। ଏନେଇ ସୂଚନା ଅଧିକାର ଆଇନ (RTI) ମାଧ୍ୟମରେ ବାରମ୍ବାର ତଥ୍ୟ ମଗାଯାଇଥିଲେ ମଧ୍ୟ ତତ୍କାଳୀନ ସରକାର ସେହି ସୂଚନା ପ୍ରଦାନ କରିନଥିବା ଅଭିଯୋଗ ହୋଇଛି। ପୂର୍ବରୁ ଏସଡିଜେଏମ୍ କୋର୍ଟରେ ଆବେଦନ ଖାରଜ ହେବା ପରେ ଜିଲ୍ଲା କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ।

ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ମଧ୍ୟ ତର୍କ ଜୋର ଧରିଛି। ବିଜେଡି ପକ୍ଷରୁ କୁହାଯାଇଛି ଯେ, ପାଣ୍ଡିଆନ କୌଣସି ବ୍ୟକ୍ତିଗତ ଗସ୍ତ କରୁନଥିଲେ, ବରଂ ଲୋକଙ୍କ ଅଭିଯୋଗ ଶୁଣିବା ଏବଂ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ, ତେଣୁ କୋର୍ଟରେ ଉଚିତ ଜବାବ ଦିଆଯିବ। ଅନ୍ୟପଟେ ବିଜେପି କହିଛି, ମାମଲା ବର୍ତ୍ତମାନ ନ୍ୟାୟାଳୟର ବିଚାରାଧୀନ ଥିବାରୁ ଆଇନ ତା’ର ନିଜସ୍ୱ ପ୍ରକ୍ରିୟାରେ ଆଗକୁ ବଢ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ