Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

OPSC Exam: ବାତିଲ୍‌ ହେବନି ଆସନ୍ତାକାଲିର OPSC ପରୀକ୍ଷା, ବନ୍ୟା ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପାଇଁ ଗାଡ଼ି ବ୍ୟବସ୍ଥା କରିବେ ସରକାର

ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ପରିସ୍ଥିତି ମଧ୍ୟରେ ଆସନ୍ତାକାଲି ଅର୍ଥାତ୍‌ ଅକ୍ଟୋବର ୩୧ରେ ହେବାକୁ ଥିବା OPSC ପରୀକ୍ଷା ଘୁଞ୍ଚିବ ନାହିଁ। ଏନେଇ ସ୍ପଷ୍ଟ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ପରୀକ୍ଷା ଘୁଞ୍ଚାଇଲେ ପୁଣି ଆୟୋଜନ କରିବାକୁ ପ୍ରାୟ ୬ ମାସ ସମୟ ଲାଗିପାରେ। ଏହାଦ୍ୱାରା ରାଜ୍ୟର ଅନ୍ୟ ଅଞ୍ଚଳର ପ୍ରସ୍ତୁତ ପରୀକ୍ଷାର୍ଥୀମାନେ ମଧ୍ୟ ପ୍ରଭାବିତ ହେବେ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ପ୍ରାୟ ୩୨୫ ଜଣ ଏବଂ ଅନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳର ପ୍ରାୟ ୧୦୦ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ସେମାନେ ଯେପରି ସୁରକ୍ଷିତ ଭାବେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରିବେ, ସେଥିପାଇଁ ସରକାର ପରିବହନ ବ୍ୟବସ୍ଥା କରିବେ। ଏହି ଦାୟିତ୍ୱ ବ୍ଲକ୍‌ ଉନ୍ନୟନ ଅଧିକାରୀ (BDO)ମାନଙ୍କୁ ଦିଆଯାଇଛି।

ସୂଚନାଯୋଗ୍ୟ, ବାତ୍ୟା ‘ଆର୍ଣ୍ଣବ’ ପ୍ରଭାବ ଓ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି OPSC ପୂର୍ବରୁ OCS ମୁଖ୍ୟ ଲିଖିତ ପରୀକ୍ଷାର କିଛି ପେପର୍‌ର ତାରିଖ ବଦଳାଇଥିଲା। ଅକ୍ଟୋବର ୨୯ରେ ହେବାକୁ ଥିବା ଓଡ଼ିଆ ଓ ଇଂରାଜୀ ପେପର୍‌କୁ ଅକ୍ଟୋବର ୩୧କୁ ଏବଂ ଅକ୍ଟୋବର ୩୦ର ଏସେ ପେପର୍‌କୁ ନଭେମ୍ବର ୫କୁ ଘୁଞ୍ଚାଯାଇଥିଲା। ତେବେ ଅକ୍ଟୋବର ୩୧ର ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ ବୋଲି ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ପରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଚାଲିଥିବା ଦ୍ୱନ୍ଦ୍ୱ ଦୂର ହେବା ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories