ଖାମେନେଇଙ୍କ ଶେଷଯାତ୍ରାରେ ୩ ହଜାର ମୃତ୍ୟୁ ଆଶଙ୍କା! କାହିଁକି ଏତେ ବଡ଼ ପ୍ରସ୍ତୁତି କରୁଛି ଇରାନ?
ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ଶେଷଯାତ୍ରାକୁ ନେଇ ଦେଶବ୍ୟାପୀ ବ୍ୟାପକ ପ୍ରସ୍ତୁତି ଚାଲିଛି। ଜର୍ମାନ ଗଣମାଧ୍ୟମ ଡି ୱେଲ୍ଟର ଏକ ରିପୋର୍ଟ ଅନୁଯାୟୀ, ତେହରାନରେ ଖାମେନେଇଙ୍କ ଶେଷ ଦର୍ଶନ ଏବଂ ଶବଯାତ୍ରା ବେଳେ ଅତ୍ୟଧିକ ଜନସମାଗମ ଯୋଗୁଁ ୧,୫୦୦ରୁ ୩,୦୦୦ ଲୋକଙ୍କ ପ୍ରାଣହାନି ଘଟିପାରେ ବୋଲି ଇରାନ ସରକାର ସମ୍ଭାବ୍ୟ ଆଶଙ୍କା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ହଜାର ହଜାର କବର ପ୍ରସ୍ତୁତ କରିବା ସହ ମୃତ ଓ ନିଖୋଜଙ୍କ ପରିଚାଳନା ପାଇଁ ସ୍ୱତନ୍ତ୍ର ୟୁନିଟ୍ ଗଠନ କରାଯାଇଥିବା ଦାବି କରାଯାଇଛି।
ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୮ରେ ଇସ୍ରାଏଲ-ଆମେରିକା ମିଳିତ ଆକ୍ରମଣରେ ନିହତ ହୋଇଥିବା ଖାମେନେଇଙ୍କ ମରଶରୀରକୁ ତେହରାନର ଗ୍ରାଣ୍ଡ ପ୍ରେୟର ହଲ୍ରେ ଜୁଲାଇ ୬ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଶେଷ ଦର୍ଶନ ପାଇଁ ରଖାଯିବ। ଏହାପରେ କୋମ୍, ଇରାକର ନଜଫ ଓ କର୍ବଲା ଦେଇ ଜୁଲାଇ ୯ରେ ମଶହାଦରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ତେହରାନରେ ପ୍ରାୟ ୨ କୋଟି ଲୋକ ଯୋଗଦେଇପାରନ୍ତି ବୋଲି ଇରାନ ଦାବି କରୁଥିବା ବେଳେ ଏହି ସଂଖ୍ୟାର ସ୍ୱାଧୀନ ପୁଷ୍ଟି ହୋଇନାହିଁ।
ଅତ୍ୟଧିକ ଭିଡ଼ ଯୋଗୁଁ କୌଣସି ଅଘଟଣ ନ ଘଟିବା ପାଇଁ ତେହରାନରେ ୨୪ ଘଣ୍ଟିଆ ମେଟ୍ରୋ ଓ ବସ୍ ସେବାକୁ ମାଗଣା କରାଯାଇଛି। ସେହିପରି ହଜାର ହଜାର ବସ୍, ଅସ୍ଥାୟୀ ରୋଷେଇ ଘର, ସ୍କୁଲ୍ ଓ ମସଜିଦକୁ ଯାତ୍ରୀଙ୍କ ରହିବା ପାଇଁ ପ୍ରସ୍ତୁତ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିବା ବେଳେ ଏହି ତିନି ଦିନିଆ ଶେଷଯାତ୍ରା ପାଇଁ ପ୍ରାୟ ୧୭ ମିଲିୟନ୍ ଡଲାର ବ୍ୟୟ ହୋଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

