Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନର ୨୩ ଜିହାଦୀଙ୍କୁ ଆତଙ୍କବାଦୀ ଘୋଷଣା କଲା କେନ୍ଦ୍ର; ଲସ୍କର-ଜୈଶ ନେଟୱର୍କ ଉପରେ କଡ଼ା ଆଘାତ

ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପକୁ କଡ଼ା ଜବାବ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୟୁଏପିଏ (UAPA) ଆଇନ ଅନୁଯାୟୀ ପାକିସ୍ତାନଭିତ୍ତିକ ଲସ୍କର-ଇ-ତୋଏବା (LeT) ଓ ଜୈଶ-ଇ-ମହମ୍ମଦ (JeM) ସଂଗଠନର ୨୩ ଜଣ ସଦସ୍ୟଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ସରକାରଙ୍କ ‘ପ୍ରହାର’ ରଣନୀତି ଅନ୍ତର୍ଗତ ଏହି ପଦକ୍ଷେପ ନିଆଯାଇଛି। ଘୋଷିତ ୨୩ ଜଣଙ୍କ ମଧ୍ୟରୁ ୧୩ ଜଣ ଲାହୋରସ୍ଥିତ ଲସ୍କର-ଇ-ତୋଏବା ଏବଂ ୧୦ ଜଣ ବାହାୱାଲପୁରସ୍ଥିତ ଜୈଶ-ଇ-ମହମ୍ମଦ ସହ ଜଡ଼ିତ। ଏହି ତାଲିକାରେ ୧୬ ଜଣ ପାକିସ୍ତାନୀ ନାଗରିକ ଥିବାବେଳେ ୭ ଜଣ ଭାରତୀୟ ହୋଇ ପାକିସ୍ତାନରୁ କାର୍ଯ୍ୟକଳାପ ଚଳାଉଥିବା ଅଭିଯୋଗ ରହିଛି।

କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଏହି ଆତଙ୍କବାଦୀମାନେ ପ୍ରଚାର, ଆତଙ୍କବାଦୀ ନିଯୁକ୍ତି, ପ୍ରଶିକ୍ଷଣ, ଅସ୍ତ୍ର ଚୋରାଚାଲାଣ ଏବଂ ଭାରତ ସୀମାକୁ ଅନୁପ୍ରବେଶ କରାଇବା ଭଳି କାର୍ଯ୍ୟରେ ସକ୍ରିୟ ଥିଲେ। ତାଲିକାରେ ଥିବା ସୈଫୁଲ୍ଲା ଖାଲିଦ୍‌ ଲସ୍କରର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିବାବେଳେ ହାଫିଜ ଅବଦୁର ରଉଫ ‘ଅପରେସନ୍ ସିନ୍ଦୁର’ରେ ନିହତ ଆତଙ୍କବାଦୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ। ଜୈଶ ପକ୍ଷରୁ ମୁଫ୍ତି ମହମ୍ମଦ ଅସଗର ଖାନ୍‌, ମସୁଦ୍ ଇଲିୟାସ କାଶ୍ମୀରୀ, ଅବଦୁଲ୍ଲା ଜେହାଦୀ, ମହମ୍ମଦ ମୁସାଦିକ୍ ଓ ୱାସିମ୍ ନୂରଙ୍କ ନାମ ସାମିଲ ରହିଛି। ସେମାନେ ସୀମାପାର ଅନୁପ୍ରବେଶ, ଡ୍ରୋନ୍ ଓ ସୁଡ଼ଙ୍ଗ ମାଧ୍ୟମରେ ଅସ୍ତ୍ର ପଠାଇବା ଏବଂ ଆକ୍ରମଣର ଷଡ଼ଯନ୍ତ୍ରରେ ସକ୍ରିୟ ଥିବା ଅଭିଯୋଗ ରହିଛି।

ସରକାର କହିଛନ୍ତି, ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଆତଙ୍କବାଦୀ ନିଯୁକ୍ତି, ଉଗ୍ରବାଦୀକରଣ ଏବଂ ସୀମାପାର ଆତଙ୍କ କାର୍ଯ୍ୟକଳାପକୁ ରୋକିବା। ସୋସିଆଲ ମିଡିଆ ମାଧ୍ୟମରେ ଯୁବପିଢ଼ୀଙ୍କୁ ପ୍ରଭାବିତ କରୁଥିବା ନେଟୱର୍କ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି। କେନ୍ଦ୍ର ସରକାର ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଭାରତର ‘ଶୂନ୍ୟ ସହନଶୀଳତା’ ନୀତି ଜାରି ରହିବ ଏବଂ ଆତଙ୍କ ନେଟୱର୍କକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେବା ପାଇଁ କୂଟନୀତିକ ଓ ସୁରକ୍ଷାସମ୍ବନ୍ଧୀୟ ପଦକ୍ଷେପ ଅବ୍ୟାହତ ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories