Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣିପୁର ହିଂସାର ତଦନ୍ତ କରିବ ବିଚାର ବିଭାଗୀୟ ଆୟୋଗ, ପୀଡ଼ିତ ପରିବାରକୁ ୧୦ ଲକ୍ଷ ସହାୟତା

ଇମ୍ଫାଲ: ମଣିପୁର ହିଂସାର ତଦନ୍ତ ବିଚାର ବିଭାଗୀୟ ଆୟୋଗ ଦ୍ଵାରା କରାଯିବ। ଗୁରୁବାର ଏହି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ରୀୟ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା। ସେ କହିଛନ୍ତି, ହାଇକୋର୍ଟର ଅବସରପ୍ରାପ୍ତ ବିବାରପତିଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ଆୟୋଗ ଗଠନ କରାଯିବ। ଗତ ୩ ଦିନ ହେବ ଗୃହ ମନ୍ତ୍ରୀ ମଣିପୁରରେ ସ୍ଥିତିର ସମୀକ୍ଷା କରୁଛନ୍ତି। ଏଥିସହ ଶାହା ପୀଡ଼ିତ ଏବଂ ହିଂସା କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ମୃତକ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯିବ। ୫ ଲକ୍ଷ ଟଙ୍କା କେନ୍ଦ୍ର ସରକାର ଏବଂ ଅବଶିଷ୍ଟ ୫ ଲକ୍ଷ ରାଜ୍ୟ ସରକାର ବହନ କରିବେ।

ନିଜ ଗସ୍ତର ଶେଷ ଦିନରେ ଶାହା କହିଛନ୍ତି, ହିଂସା ପାଇଁ କିଏ ଦାୟୀ ବିଚାର ବିଭାଗୀୟ ଆୟୋଗ ଏହାର ତଦନ୍ତ କରିବେ। ଭାରତ ସରକାରଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ତଦନ୍ତ ଚାଲିବ। ମଣିପୁରର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ଗଠନ କରାଯାଇଛି। ଏଥିରେ ବ୍ୟବସାୟୀ, ଖେଳାଳି, ରାଜନୈତିକ ଦଳର ପ୍ରତିନିଧି, ସିଭିଲ ସୋସାଇଟିର ପ୍ରତିନିଧି ସାମିଲ୍। ଏ ସମସ୍ତେ ମିଶି ରାଜ୍ୟରେ ଶାନ୍ତି ସ୍ଥାପନା ଦିଗରେ କାମ କରିବେ।

ଶାହା କହିଛନ୍ତି, ୬ ମାମଲାରେ ସିବିଆଇ ତଦନ୍ତ କରାଯିବ। ଏ ପର୍ଯ୍ୟନ୍ତ ୫ କେସ ରୁଜୁ ହୋଇ ସାରିଛି। ମଣିପୁରବାସୀଙ୍କୁ ଆଶ୍ଵାସନ ଦେଉଛି ଯେ, ବିନା କୌଣସି ପକ୍ଷପାତରେ ତଦନ୍ତ କରାଯିବ ଏବଂ ହିଂସା ପଛର ପ୍ରକୃତ କାରଣ ଖୋଜାଯିବ। ହିଂସାକାଣ୍ଡ ପାଇଁ ଯିଏ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ, ଯେମିତି ଭବିଷ୍ୟତରେ ଏହି ଧରଣର ହିଂସା କରିବାକୁ ସାହାସ କରିବେନି ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି।

ରାଜ୍ୟକୁ ୩୦ ହଜାର ମେଟ୍ରିକ ଟନ ଚାଉଳ ପଠାଯିବ। ୮ ଡାକ୍ତରୀ ଦଳ ପଠାଯିବ ଯେଉଁମାନେ ମୋରେହ, ଚୁରାଚାନ୍ଦପୁର ଏବଂ କାଙ୍ଗପୋକପି ହିଂସା ପ୍ରଭାବିତ ଅଞ୍ଚଳରେ କାମ କରିବେ। ୩ଟି ଟିମ୍ ପୂର୍ବରୁ ପହଞ୍ଚି ସାରିଛି ଏବଂ ବାକି ଟିମ୍ ଶୀଘ୍ର ରାଜ୍ୟରେ ପହଞ୍ଚି ନିଜ କାମରେ ନିୟୋଜିତ ହୋଇଯିବେ। ଏହା ବ୍ୟତୀତ ରାଜ୍ୟରେ ୧୫ ପେଟ୍ରୋଲ ପମ୍ପ ଏମିତି ରହିବ, ଯାହା ୨୪ ଘଣ୍ଟା ସେବା ପ୍ରଦାନ କରିବ। ଟ୍ରେନ ଜରିଆରେ ଯୋଗାଣ ତ୍ଵରାନ୍ଵିତ କରିବା ପାଇଁ ଅସ୍ଥାୟୀ ପ୍ଲାଟଫର୍ମ କରାଯିବ ବୋଲି ଶାହା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ