ତୃତୀୟ ଥର ବିବାହ ବନ୍ଧନରେ ଅମୀର ଖାନ! ଗୌରୀଙ୍କ ସହ ରେଜିଷ୍ଟ୍ରି ବିବାହ, ସେଲିବ୍ରିଟିଙ୍କ ଭିଡ଼
ମୁମ୍ବାଇ: ବଲିଉଡ୍ ଅଭିନେତା ଅମୀର ଖାନ ଗୌରୀ ସ୍ପ୍ରେଟ୍ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ଜୁଲାଇ ୫ ତାରିଖରେ ମୁମ୍ବାଇର ପାଲି ହିଲ୍ସ୍ଥିତ ନିଜ ବାସଭବନରେ ଅମୀର ଓ ଗୌରୀ ସରଳ ଭାବେ ରେଜିଷ୍ଟ୍ରି ବିବାହ କରିଥିଲେ। ଏହି ଅବସରରେ କେବଳ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ବିବାହ ପୂର୍ବରୁ ଅମୀରଙ୍କ ବାସଭବନକୁ ଫୁଲ ଓ ଆଲୋକ ସଜ୍ଜାରେ ସୁସଜ୍ଜିତ କରାଯାଇଥିଲା।
ପ୍ରାୟ ୧୦୦ରୁ ୧୫୦ ଜଣ ଅତିଥି ଏହି ବିବାହ ଉତ୍ସବରେ ସାମିଲ ହୋଇଥିବା କୁହାଯାଉଛି। ଅମୀରଙ୍କ ଝିଅ ଇରା ଖାନ, ପୁଅ ଜୁନୈଦ ଖାନଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସେହିପରି ଅମ୍ବାନୀ ପରିବାର, ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ଓ ରାଜ ଠାକରେଙ୍କ ଭଳି ବହୁ ଚର୍ଚ୍ଚିତ ବ୍ୟକ୍ତି ମଧ୍ୟ ଉତ୍ସବରେ ଯୋଗ ଦେଇଥିବା ଦାବି କରାଯାଉଛି। ପ୍ରବଳ ବର୍ଷା ସତ୍ତ୍ୱେ ବିବାହ ଉତ୍ସବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି।
ଗୌରୀ ସ୍ପ୍ରେଟ୍ଙ୍କ ପୂର୍ବରୁ ଅମୀର ଖାନ ଦୁଇଥର ବିବାହ କରିଥିଲେ। ୧୯୮୬ରେ ରୀନା ଦତ୍ତଙ୍କୁ ବିବାହ କରି ସେ ଜୁନୈଦ ଓ ଇରାଙ୍କ ପିତା ହୋଇଥିଲେ। ୨୦୦୨ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ପରେ ୨୦୦୫ରେ କିରଣ ରାଓଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ଏକ ପୁଅ ଆଜାଦ ଅଛନ୍ତି। ୨୦୨୧ରେ କିରଣ ରାଓଙ୍କ ସହ ମଧ୍ୟ ଅମୀରଙ୍କ ଛାଡ଼ପତ୍ର ହୋଇଥିଲା। ତେବେ ଛାଡ଼ପତ୍ର ପରେ ମଧ୍ୟ ଉଭୟ ପୂର୍ବତନ ପତ୍ନୀଙ୍କ ସହ ତାଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଥିବା ଜଣାଯାଇଛି।

