ବିବାହର ୪ ମାସ ପରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ; ସ୍ୱାମୀ ସମେତ ୬ ଜଣଙ୍କ ବିରୋଧରେ ଯୌତୁକ ହତ୍ୟା ମାମଲା
ଲକ୍ଷ୍ନୌ: ବିବାହର ମାତ୍ର ଚାରି ମାସ ପରେ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉତ୍ତର ପ୍ରଦେଶର ଲକ୍ଷ୍ନୌର ଇନ୍ଦିରାନଗର ଅଞ୍ଚଳର ଏକ ଭଡ଼ାଘରରୁ ସୋନାଲି ନାମକ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ଘଟଣା ପରେ ପୁଲିସ ସ୍ୱାମୀ କମଳକାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ସ୍ୱାମୀ, ଶାଶୁ-ଶ୍ୱଶୁର ଓ ପରିବାରର ଅନ୍ୟ ୫ ଜଣଙ୍କ ବିରୋଧରେ ଯୌତୁକ ହତ୍ୟା ମାମଲା ରୁଜୁ କରିଛି।
ପୁଲିସ ସୂଚନା ଅନୁଯାୟୀ, ଚଳିତ ବର୍ଷ ଫେବୃଆରୀରେ ଉଭୟଙ୍କ ବିବାହ ହୋଇଥିଲା। ସ୍ୱାମୀଙ୍କ କହିବା ଅନୁସାରେ, କାଶ୍ମୀର ହନିମୁନ୍ ଯୋଜନାରେ ବିମାନ ଟିକେଟ୍ ବଦଳାଇ ଟ୍ରେନ୍ ଟିକେଟ୍ କରିବାକୁ ନେଇ ସାମାନ୍ୟ ବଚସା ହୋଇଥିଲା। ପରେ ସେ କାର୍ଯ୍ୟାଳୟକୁ ଯାଇଥିଲେ। ବାରମ୍ବାର ଫୋନ୍ କଲେ ମଧ୍ୟ ସୋନାଲି ଉତ୍ତର ନଦେବାରୁ ଘରମାଲିକଙ୍କୁ ଖବର ଦେଇଥିଲେ। ଘର ଭିତରୁ ବନ୍ଦ ଥିବା ବେଳେ ସୋନାଲିଙ୍କୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ହସ୍ପିଟାଲକୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପକ୍ଷରେ, ସୋନାଲିଙ୍କ ପରିବାର ଏହାକୁ ଆତ୍ମହତ୍ୟା ନୁହେଁ ବରଂ ଯୌତୁକ ପାଇଁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କ ଭାଇଙ୍କ କହିବା ଅନୁଯାୟୀ, ବିବାହ ସମୟରେ ₹୧୫ ଲକ୍ଷ ନଗଦ ଓ ପ୍ରାୟ ₹୨.୫ ଲକ୍ଷ ଟଙ୍କାର ଆସବାବପତ୍ର ଦିଆଯାଇଥିଲେ ମଧ୍ୟ ପରେ ଗାଡ଼ି ଓ ଅଧିକ ଟଙ୍କା ପାଇଁ ନିର୍ଯାତନା ଚାଲିଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଝୁଲିବା ବୋଲି ଉଲ୍ଲେଖ ଥିବା ବେଳେ, ପରିବାର ପକ୍ଷରୁ ଆଣାଯାଇଥିବା ସମସ୍ତ ଅଭିଯୋଗର ତଦନ୍ତ ଚାଲିଥିବା ପୁଲିସ କହିଛି।

