ଏଲ ଆଣ୍ଡ ଟି କ୍ୟାମ୍ପ ରେ ଅଘଟଣ,କୋକସରା ଅଗ୍ନିଶମ କେନ୍ଦ୍ରର ତ୍ୱରିତ ଉଦ୍ଧାର, ଶ୍ରମିକ ସୁରକ୍ଷିତ
କଳାହାଣ୍ଡି,୦୯/୦୭
କଳାହାଣ୍ଡି ଜିଲ୍ଲାର କୋକସରାସ୍ଥିତ ଏଲ୍ ଆଣ୍ଡ ଟି ମେଗା ପ୍ରକଳ୍ପର କୁସୁମଖଣ୍ଡି କାର୍ଯ୍ୟସ୍ଥଳରେ ଘଟିଥିବା ଏକ ଦୁର୍ଘଟଣାରେ ଭାରୀ ପିଭିସି ପାଇପ୍ ମଧ୍ୟରେ ଫସିଯାଇଥିବା ଜଣେ ଶ୍ରମିକଙ୍କୁ କୋକସରା ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ସାହସିକତା ଓ ଦକ୍ଷତାର ସହ ସଫଳତାର ସହ ଉଦ୍ଧାର କରିଛନ୍ତି।ଉଦ୍ଧାର ପାଇଥିବା ଶ୍ରମିକ ଶ୍ରୀ ନଦୀମ ଖାନ (ବୟସ–୨୮ ବର୍ଷ), ରାଜସ୍ଥାନର ଭରତପୁରର ବାସିନ୍ଦା ହୋଇଥିବା ବେଳେ ସେ କୋକସରାର କୁସୁମଖଣ୍ଡିସ୍ଥିତ ଏଲ୍ ଆଣ୍ଡ ଟି ମେଗା ପ୍ରକଳ୍ପରେ ଶ୍ରମିକ ଭାବେ କାର୍ଯ୍ୟରତ ଅଛନ୍ତି। କାର୍ଯ୍ୟ କରୁଥିବା ସମୟରେ ହଠାତ୍ ଗଦା ହୋଇ ରହିଥିବା ଅନେକ ବିଶାଳକାୟ ଲୁହା ପାଇପ୍ ତାଙ୍କ ଉପରେ ଲଦି ହୋଇ ପଡ଼ିବାରୁ ସେ ସେଗୁଡ଼ିକ ମଧ୍ୟରେ ଫସିଯାଇଥିଲେ ଏବଂ ବାହାରିବାରେ ସମ୍ପୂର୍ଣ୍ଣ ଅସମର୍ଥ ହୋଇପଡ଼ିଥିଲେ।
ଘଟଣା ପରେ ସ୍ଥାନୀୟ ଲୋକ ଓ ସହକର୍ମୀମାନେ ତୁରନ୍ତ ୧୧୨ ଜରୁରୀକାଳୀନ ସେବାକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ କୋକସରା ଅଗ୍ନିଶମ କେନ୍ଦ୍ରର ଉଦ୍ଧାରକାରୀ ଦଳ ଅପରାହ୍ନ ୪ଟା ୧୪ ମିନିଟ୍ରେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଆକଳନ କରିଥିଲେ।
ସଙ୍ଗେ ସଙ୍ଗେ ଅଗ୍ନିଶମ କର୍ମଚାରୀମାନେ ହାଇଡ୍ରୋଲିକ୍ କମ୍ବି ଟୁଲ୍, କଟର ଓ ସ୍ପ୍ରେଡର ବ୍ୟବହାର କରି ଅତ୍ୟନ୍ତ ସତର୍କତାର ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ 30 ମିନିଟ୍ ଧରି ଚାଲିଥିବା ଉଦ୍ଧାର ଅଭିଯାନ ପରେ ଶ୍ରୀ ନଦୀମ ଖାନଙ୍କୁ ସୁରକ୍ଷିତ ଭାବେ ଚାପି ହୋଇ ରହିଥିବା ଲୁହା ପାଇପ୍ ମଧ୍ୟରୁ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଚିକିତ୍ସା ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।
ଏହି ସଫଳ ଉଦ୍ଧାର ଅଭିଯାନର ନେତୃତ୍ୱ ନେଇଥିଲେ ଲିଡିଂ ଫାୟାରମ୍ୟାନ୍ ପ୍ରଶାନ୍ତ କୁମାର ବାଘ। ତାଙ୍କ ସହ ଡ୍ରାଇଭର ହାବିଲଦାର ସୁନୀଲ କୁମାର ବର୍ଲା, ଫାୟାରଫାଇଟର ହେମନ୍ତ ନାୟକ, ଫାୟାରଫାଇଟର ରାଧେଶ୍ୟାମ ପ୍ରଧାନ ଏବଂ ଫାୟାରଫାଇଟର ବିଶ୍ୱଜିତ ଜେନା ନିଷ୍ଠା, ସାହସ ଓ ବୈଷୟିକ ଦକ୍ଷତାର ସହ ଉଦ୍ଧାର କାର୍ଯ୍ୟ ସମ୍ପନ୍ନ କରିଥିଲେ।
ଏହି ସଫଳ ଅଭିଯାନ ପୁଣିଥରେ ପ୍ରମାଣ କରିଛି ଯେ, ଓଡ଼ିଶା ଅଗ୍ନିଶମ ଓ ଜରୁରୀ ସେବା ବିପଦ ସମୟରେ ଦ୍ରୁତ ପ୍ରତିକ୍ରିୟା, ଆଧୁନିକ ଉଦ୍ଧାର ପ୍ରଯୁକ୍ତି ଏବଂ ନିଷ୍ଠାପୂର୍ଣ୍ଣ ସେବା ମାଧ୍ୟମରେ ଜନସାଧାରଣଙ୍କ ଜୀବନର ସୁରକ୍ଷା ପାଇଁ ସଦା ପ୍ରତିବଦ୍ଧ।

