Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣିପୁର ବିଜେପି ସରକାରରେ ଫାଟ, ବିଧାୟକଙ୍କ ଦାବି- ବିରେନ ସିଂଙ୍କୁ ସିଏମ ପଦରୁ ହଟାଯାଉ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ସଂପ୍ରତି ମଣିପୁରରେ ରହି ହିଂସା ସ୍ଥିତିର ସମୀକ୍ଷା କରିବା ସହ ଶାନ୍ତି ସ୍ଥାପନ ପାଇଁ ଉଦ୍ୟମ ଚଳାଇଛନ୍ତି। ରାଜ୍ୟରେ ଗତ ଏକ ମାସ ଧରି ଜାରି ହିଂସା ଥମିଥିଲେ ହେଁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ଉତ୍ତେଜନା ଏବେ କୁକି ଏବଂ ମେତେଇ ଜନଜାତି ସମୁଦାୟ ମଧ୍ୟରେ ଥିବା ବ୍ୟବଧାନକୁ ଆହୁରି ବଢାଇ ଦେଇଛି। ଏବେ ମଣିପୁର ବିଜେପି ସରକାରରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ବିଜେପି ସହ ଜଡ଼ିତ କୁକି ସମୁଦାୟର ବିଧାୟକ ବିରେନ ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ପୂରା ହିଂସା ସମୟରେ ମେତେଇ ସମୁଦାୟ ପ୍ରତି ମୁଖ୍ୟମନ୍ତ୍ରୀ ବିରେନ ସିଂ ନରୋମ ଆଭିମୁଖ୍ୟ ପୋଷଣ କରିଥିଲେ। ଉଲ୍ଲେଖନୀୟ ଖୋଦ୍ ବିରେନ ସିଂ ମେତେଇ ସମୁଦାୟର ଅଟନ୍ତି।

ବିରେନ ସିଂଙ୍କୁ ବିରୋଧ କରି ୪ ବିଧାୟକ ନିଜର ପ୍ରଶାସନିକ ପଦରୁ ଇସ୍ତଫା ମଧ୍ୟ ଦେଇ ସାରିଛନ୍ତି। ଏହା ବ୍ୟତୀତ ପାର୍ଟି ରାଜ୍ୟ ସଂପାଦକ ପାଓକମ ହାଓକିପ ମଧ୍ୟ ଅସନ୍ତୁଷ୍ଟ ବିଧାୟକଙ୍କ ସମର୍ଥନରେ ଅଛନ୍ତି ଏବଂ ଏନ ବିରେନ ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ୍ ବୋଲି କହିଛନ୍ତି। ଗତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ନିର୍ବାଚନରେ ବିଜେପି ୬୦ରୁ ୩୨ ଆସନ ଜିତି ରାଜ୍ୟରେ ବହୁମତ ସହ ସରକାର ଗଠନ କରିଥିଲା। ଯଦି କିଛି ବିଧାୟକ ବିଜେପି ସହ ବିଦ୍ରୋହ କରନ୍ତି କିମ୍ବା ହିଂସା ଯୋଗୁଁ ଦଳରୁ ଇସ୍ତଫା ଦିଅନ୍ତି ତେବେ ବିଜେପି ସରକାର ପ୍ରତି ସଙ୍କଟ ଉପୁଜିପାରେ। ଏହା ପୂର୍ବରୁ ୨୦୧୫ରେ ମଧ୍ୟ ମଣିପୁରରେ ଜାତିଗତ ହିଂସା ଘଟିଥିଲା। ଏହାର ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ ଥିବା କହି ବିରେନ ସିଂ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ସେହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ଓମକାର ଇବୋବି ସିଂ। ଏବେ ଖୋଦ୍ ବିରେନ ସିଂ ମଣିପୁରର ମୁଖ୍ୟମନ୍ତ୍ରୀ। ପୁଣି ତାଙ୍କ ଅମଳରେ ହିଁ ସଂପ୍ରତି ରାଜ୍ୟରେ ଏତେ ବଡ଼ ହିଂସା କାଣ୍ଡ ଘଟି ଯାଇଛି।

ଏହା ମଧ୍ୟରେ ଗୃହ ମନ୍ତ୍ରୀ ଅମିତ୍ ଶାହା ୨ଟି ଜିଲ୍ଲା ଗସ୍ତ କରି ଶିବିରରେ ଥିବା ପ୍ରଭାବିତଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ସିଭିଲ ସୋସାଇଟିର ସଦସ୍ୟଙ୍କୁ ଭେଟି ସ୍ଥିତିର ସମାଧାନ ପାଇଁ ଆଶ୍ଵାସନ ଦେଇଛନ୍ତି। ହେଲେ ରିଲିଫ କ୍ୟାମ୍ପରେ ରହୁଥିବା ଲୋକଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି। ମେତେଇ ଏବଂ କୁକି ସମୁଦାୟର ଲୋକଙ୍କ ମଧ୍ୟରେ ଦୂରତା ସ୍ପଷ୍ଟ ବାରି ହୋଇ ପଡ଼ିଥିଲା। ଦୁଇ ସମୁଦାୟର ଲୋକଙ୍କ ପାଇଁ ଅଲଗା ଅଲଗା କ୍ୟାମ୍ପର ବ୍ୟବସ୍ଥା କରାଯାଇଛି। ଉଲ୍ଲେଖନୀୟ କୁକି ଜନଜାତିର ଲୋକେ ପାହାଡ଼ି ଅଞ୍ଚଳରେ ଅଧିକ ବସବାସ କରନ୍ତି। ଆଉ ମଣିପୁରର ସହରାଞ୍ଚଳ ଏବଂ ଘାଟି କ୍ଷେତ୍ରରେ ମେତେଇ ସମୁଦାୟର ଅଧିକାଂଶ ଜନସଂଖ୍ୟା ବସବାସ କରନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ