ହର୍ମୁଜ୍ ପ୍ରଣାଳୀରେ ଆମେରିକାର ବଡ଼ ଆକ୍ରମଣ, ଇରାନର ମିସାଇଲ୍ ଓ ସାମରିକ ଘାଟି ଟାର୍ଗେଟ୍
ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଚରମରେ ପହଞ୍ଚିଛି। ରବିବାର ଆମେରିକୀୟ ସେନା ହର୍ମୁଜ୍ ପ୍ରଣାଳୀ ନିକଟରେ ଇରାନର ମିସାଇଲ୍ ବ୍ୟବସ୍ଥା, ବାୟୁ ପ୍ରତିରକ୍ଷା କେନ୍ଦ୍ର ଓ ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ୍ କର୍ପ୍ସ (IRGC)ର ଦ୍ରୁତଗତି ବୋଟ୍ ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଏହା ପରେ ବନ୍ଦର ଆବାସ ଓ କେଶ୍ମ ଦ୍ୱୀପ ଅଞ୍ଚଳରେ ଜୋରଦାର ବିସ୍ଫୋରଣ ହୋଇଥିବା ବେଳେ ଇରାନ କହିଛି, ସମସ୍ତ ଆକ୍ରମଣ ସାମରିକ ସ୍ଥାପନାକୁ ଲକ୍ଷ୍ୟ କରି ହୋଇଥିଲା ଏବଂ ସାଧାରଣ ଲୋକଙ୍କ କୌଣସି କ୍ଷତି ହୋଇନାହିଁ।
ଅନ୍ୟପଟେ ଇରାନର ସରକାରୀ ସମ୍ବାଦ ସଂସ୍ଥା IRNA ଅନୁଯାୟୀ, ମାହଶାହର ସହରର ଏକ ଜଳ ପମ୍ପିଂ ଷ୍ଟେସନ୍ ଉପରେ ହୋଇଥିବା ଆକ୍ରମଣରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କିଛି ଲୋକ ଆହତ ହୋଇଛନ୍ତି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ (CENTCOM) ଦାବି କରିଛି ଯେ, ତାଙ୍କ ସେନା ଏକ ଇରାନୀ କ୍ରୁଜ୍ ମିସାଇଲ୍ ଓ ଏକ ଡ୍ରୋନ୍କୁ ମଧ୍ୟ ଧ୍ୱଂସ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, “ଆମେ ଇରାନକୁ କଡ଼ା ଜବାବ ଦେଉଛୁ।”
ଏପଟେ ଇରାନ ବିଦେଶ ମନ୍ତ୍ରଣାଳୟ ଆମେରିକାର ଏହି ଆକ୍ରମଣକୁ “ଆକ୍ରମଣାତ୍ମକ ପଦକ୍ଷେପ” ବୋଲି ନିନ୍ଦା କରିଛି। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ୱାଭାବିକ କରିବା ପାଇଁ ଓମାନରେ ହୋଇଥିବା ଆଲୋଚନା ମଧ୍ୟ ବିଫଳ ହୋଇଥିବା ଇରାନ ଦାବି କରିଛି। CENTCOM କହିଛି, ବାଣିଜ୍ୟିକ ଜାହାଜ ଚଳାଚଳର ସୁରକ୍ଷା ନିଶ୍ଚିତ କରିବା ଓ ଇରାନର ସାମରିକ କ୍ଷମତାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶରେ କରାଯାଇଛି।

