₹୧,୧୦୦ ପେନସନ୍ ଉଠାଇବାକୁ ଯାଇ ମହିଳାଙ୍କ ଖାତାରେ ଦେଖାଇଲା ₹୭୪୦ କୋଟି! ବାଲାନ୍ସ ଦେଖି ବିଗିଡ଼ିଲା ସ୍ୱାସ୍ଥ୍ୟ
ବିହାରର ନବାଦା ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ₹୧,୧୦୦ ବିଧବା ପେନସନ୍ ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିବା ରେଖା ଦେବୀଙ୍କ ଖାତାରେ ₹୭୪୦ କୋଟି ୬୮ ଲକ୍ଷ ୭୨ ହଜାର ୮୯୫ ଟଙ୍କା ବାଲାନ୍ସ ଦେଖାଯାଇଥିଲା। ଏତେ ବଡ଼ ଅଙ୍କ ଦେଖି ସେ ଭୟଭୀତ ହୋଇପଡ଼ିଥିବା ବେଳେ ପରିବାର ଲୋକଙ୍କ କହିବା ଅନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା।
ସୂଚନା ଅନୁଯାୟୀ, ନବାଦା ସହରର ନୀମ ଟୋଲା ଅଞ୍ଚଳର ବାସିନ୍ଦା ରେଖା ଦେବୀ ପେନସନ୍ ଉଠାଇବା ପରେ ଖାତାରେ ବାକି ଥିବା ଟଙ୍କା ବିଷୟରେ ସିଏସପି କେନ୍ଦ୍ରର କର୍ମଚାରୀଙ୍କୁ ପଚାରିଥିଲେ। ବାଲାନ୍ସ ଯାଞ୍ଚ କରିବା ପରେ ଖାତାରେ ₹୭୪୦ କୋଟିରୁ ଅଧିକ ରାଶି ଦେଖାଯାଇଥିଲା। ଦୁଇଥର ଯାଞ୍ଚ କରିବା ସତ୍ତ୍ୱେ ସମାନ ରାଶି ଦେଖାଯାଇଥିଲା। ପରେ ବ୍ୟାଙ୍କିଂ ବ୍ୟବସ୍ଥାର ଏକ ଟେକ୍ନିକାଲ୍ ତ୍ରୁଟି ଯୋଗୁଁ ଏଭଳି ଘଟିଥିବା ଜଣାପଡ଼ିଥିଲା ଏବଂ ଅତିରିକ୍ତ ରାଶିକୁ ହଟାଇ ଦିଆଯାଇଥିଲା।
ରେଖା ଦେବୀଙ୍କ ପରିବାର ଏହି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏଭଳି ଟେକ୍ନିକାଲ୍ ତ୍ରୁଟି ସାଧାରଣ ଲୋକଙ୍କୁ ଅନାବଶ୍ୟକ ମାନସିକ ଚାପରେ ପକାଇପାରେ। ବ୍ୟାଙ୍କ ପକ୍ଷରୁ ଏନେଇ କୌଣସି ଔପଚାରିକ ପ୍ରତିକ୍ରିୟା ମିଳିନାହିଁ।

