ଦିନ ଦ୍ୱିପ୍ରହରରେ ୪୦ କିଲୋର ୱାଟର କୁଲର ଚୋରି; କାନ୍ଧରେ ବୋହି ଆରାମରେ ଚାଲିଗଲା ଚୋର
ମହାରାଷ୍ଟ୍ର: ମହାରାଷ୍ଟ୍ରର ଅମରାବତୀରେ ଏକ ଅଜବ ଚୋରି ଘଟଣା ସାମ୍ନାକୁ ଆସିଛି। ସହରର ବ୍ୟସ୍ତବହୁଳ ରାଜକମଳ ଛକ ନିକଟରେ ଥିବା ଏକ ଜିମ୍ ବାହାରୁ ପ୍ରାୟ ୩୫ରୁ ୪୦ କିଲୋ ଓଜନର ଏକ ସାର୍ବଜନୀନ ୱାଟର କୁଲରକୁ ଜଣେ ଚୋର ଦିନ ଦ୍ୱିପ୍ରହରରେ କାନ୍ଧରେ ବୋହି ନେଇ ପଳାଇଯାଇଛି। ସମ୍ପୂର୍ଣ୍ଣ ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ସୂଚନା ଅନୁସାରେ, ଜିମ୍ ମାଲିକ ସୁଶାନ୍ତ ରୋଡେ ସାଧାରଣ ଲୋକଙ୍କ ସୁବିଧା ପାଇଁ ଜିମ୍ ବାହାରେ ଏହି ୱାଟର କୁଲର ଲଗାଇଥିଲେ। ଅପରାହ୍ନରେ ଅଭିଯୁକ୍ତ ସେଠାକୁ ଆସି ପ୍ରଥମେ ଚାରିପାଖର ପରିସ୍ଥିତି ଅନୁଧ୍ୟାନ କରିଥିଲା। ପରେ ପାଣି ପାଇପ୍ରୁ କୁଲରକୁ ବିଚ୍ଛିନ୍ନ କରି ଏହାକୁ କାନ୍ଧରେ ଉଠାଇ ଆରାମରେ ରାସ୍ତା ଦେଇ ଚାଲିଯାଇଥିଲା। ଆଶ୍ଚର୍ଯ୍ୟର କଥା, ଏତେ ଭିଡ଼ ମଧ୍ୟରେ ମଧ୍ୟ କେହି ତାଙ୍କୁ ସନ୍ଦେହ କରିନଥିଲେ କିମ୍ବା ଅଟକାଇବାକୁ ଚେଷ୍ଟା କରିନଥିଲେ।
ସନ୍ଧ୍ୟାରେ ଜିମ୍ ମାଲିକ ପହଞ୍ଚି କୁଲର ନ ଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ସିସିଟିଭି ଯାଞ୍ଚ କରିବା ପରେ ଚୋରିର ସମ୍ପୂର୍ଣ୍ଣ ଦୃଶ୍ୟ ସାମ୍ନାକୁ ଆସିଥିଲା। ଅନ୍ୟ କ୍ୟାମେରାର ଫୁଟେଜ୍ରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ରାଜକମଳ ଛକ ଭଳି ବ୍ୟସ୍ତବହୁଳ ସ୍ଥାନ ଦେଇ କୁଲର ବୋହି ଚାଲିଯାଇଥିଲା। ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଥିବା ବେଳେ କୋତୱାଲି ଥାନା ପୁଲିସ ମାମଲା ରୁଜୁ କରି ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ତଦନ୍ତ ଜାରି ରଖିଛି।

