ପ୍ରବଳ ବର୍ଷା ପାଇଁ ପୁରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା
ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଆଜି ପୁରୀ ଜିଲ୍ଲାର ସମସ୍ତ ସ୍କୁଲରେ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ଏହି ନିଷ୍ପତ୍ତି ଶିଶୁବାଟିକାରୁ ଯୁକ୍ତ-୨ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀ ପାଇଁ ପ୍ରଯୁଜ୍ୟ ହେବ।
ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଅନୁଯାୟୀ, ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ସୃଷ୍ଟି ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଲଘୁଚାପର ପ୍ରଭାବରେ ଆଗାମୀ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପୁରୀ ଜିଲ୍ଲା ପ୍ରଶାସନ ସ୍କୁଲ ଛୁଟି ଘୋଷଣା କରିଥିବା ବେଳେ ଲୋକଙ୍କୁ ଅନାବଶ୍ୟକ ବାହାରକୁ ନଯିବା ଏବଂ ପାଣିପାଗ ବିଭାଗର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି।

