ପର୍ଯ୍ୟଟନ ସ୍ଥଳରେ ମହିଳାଙ୍କୁ ଅସଦାଚରଣ, ପ୍ରତିବାଦ ପରେ ୨୦ କିମି ପର୍ଯ୍ୟନ୍ତ ପରିବାରକୁ ଗୋଡ଼ାଇଲେ ଦୁର୍ବୃତ୍ତ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଶିକ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପିକନିକ୍ ପାଇଁ ଯାଇଥିବା ଏକ ପରିବାରର ମହିଳା ସଦସ୍ୟଙ୍କ ସହ କିଛି ଦୁର୍ବୁତ୍ତ ଅସଦାଚରଣ ବ୍ୟବହାର କରିଥିଲେ | ଏହାକୁ ପରିବାର ଲୋକ ବିରୋଧ କରିବା ପରେ ଦୁର୍ବୃତ୍ତମାନେ ସମ୍ପୂର୍ଣ୍ଣ ପରିବାର ଉପରେ ଆକ୍ରମଣ କରିଥିଲେ। ପରିବାର ଲୋକେ କାର୍ରେ ପଳାଇବାକୁ ଚେଷ୍ଟା କରିଥିବା ବେଳେ ଅଭିଯୁକ୍ତମାନେ ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ପିଛା କରି ଲୁହା ରଡ୍ ଓ ବାଡ଼ିରେ କାର୍କୁ ଭଙ୍ଗାରୁଜା କରିଥିଲେ। ଘଟଣା ସମୟରେ କାର୍ରେ ଚାରିଜଣ ଶିଶୁ ସମେତ ମୋଟ ଆଠଜଣ ଥିଲେ। ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ଅଭିଯୁକ୍ତ କାର୍ର ଝରକାରେ ଝୁଲିଥିବା ଦେଖାଯାଉଛି।
ପୀଡ଼ିତାଙ୍କ କହିବା ଅନୁସାରେ, ସେମାନେ ଭାଭଲି ଡ୍ୟାମ୍ ଓ ଝରଣା ଅଞ୍ଚଳକୁ ପିକନିକ୍ ପାଇଁ ଯାଇଥିଲେ। ସେଠାରେ ଦୁଇଜଣ ଯୁବକ ତାଙ୍କୁ ନାଁ ଧରି ଡାକିବା ସହ ଅସଦାଚରଣ କରିଥିଲେ। ତାଙ୍କ ସ୍ୱାମୀ ଏହାକୁ ବିରୋଧ କରିବାରୁ ପ୍ରଥମେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ନିକଟସ୍ଥ ଖାଦ୍ୟ ଷ୍ଟଲରୁ ଆଉ ୮ରୁ ୧୦ ଜଣ ଯୋଗ ଦେଇ ପରିବାରକୁ ଘେରି ଆକ୍ରମଣ କରିଥିଲେ। ଏହାପରେ ପରିବାର ଲୋକେ କାର୍ରେ ବସି ସେଠାରୁ ବାହାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ରାସ୍ତା ଅବରୋଧ କରି କାର୍ର କାଚ ଭାଙ୍ଗିବା ସହ ଲୁହା ରଡ୍ରେ ଆକ୍ରମଣ କରିଥିଲେ। ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ସେମାନେ କାର୍କୁ ପିଛା କରି ଭୟଙ୍କର ଆତଙ୍କ ସୃଷ୍ଟି କରିଥିଲେ।
ଘଟଣା ପରେ ପୀଡ଼ିତ ପରିବାର ଇଗତପୁରୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଏପର୍ଯ୍ୟନ୍ତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ସେମାନଙ୍କୁ ପଚରାଉଚରା ଜାରି ରଖିଛି। ପୁଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣଙ୍କ ନାମରେ ପୂର୍ବରୁ ଏକ ହତ୍ୟା ମାମଲା ମଧ୍ୟ ରହିଛି। ଏହି ଘଟଣା ପରେ ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

