Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଳିଦାଦର ବନ୍ଦ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପୁନଃ ଖୋଲିବାକୁ ଦାବୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ଉପାନ୍ତ ମାଳିଦାଦର ଗ୍ରାମରେ ଦୀର୍ଘ ୯ ବର୍ଷ ଧରି ବନ୍ଦ ପଡ଼ିଥିବା ସରକାରୀ ୟୁପି ସ୍କୁଲ ପୁନଃ ଖୋଲିବାକୁ ଗ୍ରାମବାସୀ ଦାବି କରିଛନ୍ତି। ୨୦୧୭ ମସିହାରେ ଛାତ୍ରସଂଖ୍ୟା କମ୍ ଥିବା ଦର୍ଶାଇ ବିଦ୍ୟାଳୟକୁ ବନ୍ଦ କରାଯାଇଥିଲା। ଏହାପରଠାରୁ ଗ୍ରାମର କୋମଳମତି ଶିଶୁମାନେ ଶିକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଗୋଟିଏ ୱାର୍ଡ ବିଶିଷ୍ଟ ମାଳିଦାଦର ଗ୍ରାମରେ ପ୍ରାୟ ୫୦ଟି ପରିବାର ବସବାସ କରୁଛନ୍ତି। ସର୍ବଶିକ୍ଷା ଅଭିଯାନ ଅଧୀନରେ ୨୦୦୪ ମସିହାରେ ଏଠାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଚାଲୁଥିବା ସହ ବିଦ୍ୟାଳୟ ପାଇଁ ପକ୍କା କୋଠାଘର ମଧ୍ୟ ନିର୍ମାଣ କରାଯାଇଥିଲା। କିନ୍ତୁ ୨୦୧୭ରେ କମ୍ ଛାତ୍ରସଂଖ୍ୟା ଦର୍ଶାଇ ସ୍କୁଲକୁ ବନ୍ଦ କରିଦିଆଯାଇଥିଲା। ସ୍କୁଲ ବନ୍ଦ ହେବା ପରେ ଛାତ୍ରଛାତ୍ରୀଙ୍କୁ ପ୍ରାୟ ୨ରୁ ୩ କିଲୋମିଟର ଦୂରରେ ଥିବା ଦାଦରପାଲି ବିଦ୍ୟାଳୟରେ ନାମ ଲେଖାଇବାକୁ କୁହାଯାଇଥିଲା। ହେଲେ ଗ୍ରାମରୁ ସେହି ବିଦ୍ୟାଳୟକୁ ଯିବା ରାସ୍ତା ଜଙ୍ଗଲି ଅଞ୍ଚଳ ଦେଇ ଥିବାରୁ ଛୋଟ ପିଲାଙ୍କ ପାଇଁ ଏକାକୀ ଯାତାୟତ ସୁରକ୍ଷିତ ନୁହେଁ। ଦୈନିକ କାମଧନ୍ଧାରେ ବ୍ୟସ୍ତ ଥିବା ଶ୍ରମିକ ପରିବାରର ଅଭିଭାବକମାନେ ମଧ୍ୟ ପ୍ରତିଦିନ ପିଲାଙ୍କୁ ସ୍କୁଲରେ ଛାଡ଼ି ଆଣିବା ସମ୍ଭବ କରିପାରୁନାହାନ୍ତି। ଫଳରେ ଅନେକ ଶିଶୁଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି । ଗ୍ରାମବାସୀଙ୍କ କହିବାନୁସାରେ, ବର୍ତ୍ତମାନ ମଧ୍ୟ ଗ୍ରାମରେ ୨୫ରୁ ଅଧିକ ଛାତ୍ରୀଛାତ୍ର ରହିଛନ୍ତି। ତଥାପି ବିଦ୍ୟାଳୟ ପୁନଃ ଖୋଲିବା ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଇନାହିଁ। ସ୍କୁଲ ବନ୍ଦ ହେବା ପରଠାରୁ ସ୍ଥାନୀୟ ଜନପ୍ରତିନିଧି, ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ବାରମ୍ବାର ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ବନ୍ଦ ପଡ଼ିଥିବା ବିଦ୍ୟାଳୟ କୋଠାଘର ବର୍ତ୍ତମାନ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ସେଠାରେ ମଦ୍ୟପାନ ସହ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଚାଲୁଥିବାରୁ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗ୍ରାମର ମହିଳାମାନେ ପୁନର୍ବାର ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରି ବିଦ୍ୟାଳୟକୁ ତୁରନ୍ତ ପୁନଃ ଚାଲୁ କରିବାକୁ ଦାବି ଜଣାଇଛନ୍ତି। ଏ ସମ୍ପର୍କରେ ବୀରମହାରାଜପୁର ବ୍ଲକ ଶିକ୍ଷା ଅଧିକାରୀ ଅଭିଷେକ ଭୁଏଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ କଲ୍ ଗ୍ରହଣ କରିନଥିଲେ। ତେବେ ପିଲାମାନଙ୍କ ଶିକ୍ଷା ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ସ୍କୁଲ ପୁନଃ ଖୋଲିବାକୁ ସାଧାରଣରେ ଦାବି ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ