Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂସଦରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତାର ଅଙ୍କ: ବର୍ଷାକାଳୀନ ଅଧିବେଶନ ପୂର୍ବରୁ NDAର ବଡ଼ ପ୍ରସ୍ତୁତି

ଆସନ୍ତା ବର୍ଷାକାଳୀନ ସଂସଦ ଅଧିବେଶନକୁ ନେଇ କେନ୍ଦ୍ରର ଏନ୍‌ଡିଏ ସରକାର ବଡ଼ ରଣନୀତି ପ୍ରସ୍ତୁତ କରୁଛି। ସରକାର ଦୁଇଟି ସାମ୍ବିଧାନିକ ସଂଶୋଧନ ବିଲ୍‌ ପାରିତ କରିବା ପାଇଁ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି । ପ୍ରଥମଟି ହେଉଛି ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍‌, ଯେଉଁଥିରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ୩୦ ଦିନରୁ ଅଧିକ ସମୟ ଜେଲରେ ରହିଲେ ପଦରୁ ହଟାଇବାର ପ୍ରସ୍ତାବ ରହିଛି। ଦ୍ୱିତୀୟ ହେଉଛି ବହୁଚର୍ଚ୍ଚିତ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌, ଯେଉଁଥିରେ ମହିଳା ସଂରକ୍ଷଣକୁ ପରିସୀମନ (Delimitation) ପ୍ରକ୍ରିୟା ସହ ଯୋଡ଼ିବା ସହ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ବୃଦ୍ଧିର ବ୍ୟବସ୍ଥା ରହିଛି। ଏହି ଦୁଇଟି ବିଲ୍‌ ପାସ୍‌ କରିବା ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଦୁଇ-ତୃତୀୟାଂଶ ସମର୍ଥନ ଆବଶ୍ୟକ ହେବାରୁ ସରକାର ବିଭିନ୍ନ ଆଞ୍ଚଳିକ ଦଳ ଓ ବିଦ୍ରୋହୀ ସାଂସଦଙ୍କ ସମର୍ଥନ ହାସଲ କରିବାକୁ ପ୍ରସ୍ତୁତି ଜୋରଦାର ଆରମ୍ଭ କରିଛନ୍ତି ।

ସୂଚାନଯୋଗ୍ୟ, ଗତ ଏପ୍ରିଲ ଅଧିବେଶନରେ ପରିସୀମନ ବିଲ୍‌ ୫୪ଟି ଭୋଟରେ ପଛରେ ପଡ଼ିଥିବାରୁ ପାରିତ ହୋଇପାରିନଥିଲା। ବର୍ତ୍ତମାନ ଲୋକସଭାରେ ଏନ୍‌ଡିଏର ଶକ୍ତି ୨୯୨ ଥିବାବେଳେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ପାଇଁ ୩୬୦ ଭୋଟ ଆବଶ୍ୟକ। ତୃଣମୂଳ କଂଗ୍ରେସର ୨୦ ଜଣ ବିଦ୍ରୋହୀ ସାଂସଦ, ଶିବସେନା (ଉଦ୍ଧବ)ର ୬ ଜଣ ବିଦ୍ରୋହୀ, ଡିଏମ୍‌କେର ୨୨ ଜଣ ଏବଂ ଏନ୍‌ସିପି (ଶରଦ ପାୱାର ଗୋଷ୍ଠୀ)ର ୮ ଜଣ ସାଂସଦ ସମର୍ଥନ କଲେ ମଧ୍ୟ ସଂଖ୍ୟା ୩୪୮ରେ ପହଞ୍ଚିବ, ଯାହା ଆବଶ୍ୟକ ସଂଖ୍ୟାଠାରୁ ୧୨ କମ୍‌। ତେଣୁ ୱାଇଏସ୍‌ଆର୍‌ସିପି, ଜେଏମ୍‌ଏମ୍‌, ଭିସିକେ, ଅକାଳୀ ଦଳ, ଆର୍‌ଏଲ୍‌ପି ଓ ସ୍ୱାଧୀନ ସାଂସଦଙ୍କ ସମର୍ଥନ ହାସଲ କରିବା ଉପରେ ମଧ୍ୟ ସରକାର ନଜର ରଖିଛି। ଅନ୍ୟପଟେ ବିରୋଧୀ ଦଳର କିଛି ସାଂସଦ ଭୋଟଦାନରୁ ବିରତ ରହିଲେ ଦୁଇ-ତୃତୀୟାଂଶର ଅଙ୍କ ମଧ୍ୟ କମିଯିବ, ଯାହା ସରକାର ପାଇଁ ସୁବିଧାଜନକ ପରିସ୍ଥିତି ସୃଷ୍ଟି କରିପାରେ।

ସେପଟେ ରାଜ୍ୟସଭାରେ ମଧ୍ୟ ସରକାରଙ୍କ ପାଇଁ ସମାନ ଚ୍ୟାଲେଞ୍ଜ ରହିଛି। ବର୍ତ୍ତମାନ ସଦନରେ ଏନ୍‌ଡିଏ ପାଖରେ ପ୍ରାୟ ୧୫୦ ଜଣ ସାଂସଦ ଥିବାବେଳେ ଦୁଇ-ତୃତୀୟାଂଶ ସମର୍ଥନ ପାଇଁ ୧୬୨ ଭୋଟ ଆବଶ୍ୟକ। ଡିଏମ୍‌କେ ଓ ଏନ୍‌ସିପି (ଏସ୍‌ପି)ର ସମର୍ଥନ ମିଳିଲେ ଏହି ସଂଖ୍ୟା ୧୫୯ରେ ପହଞ୍ଚିବ। ଏହାସହ ପଶ୍ଚିମବଙ୍ଗରୁ ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ ହେଲେ ମଧ୍ୟ ଏନ୍‌ଡିଏକୁ ଆହୁରି କିଛି ଭୋଟର ଆବଶ୍ୟକତା ରହିବ। ତେଣୁ ବିଜେଡି, ୱାଇଏସ୍‌ଆର୍‌ସିପି, ବିଆର୍‌ଏସ୍‌ ଏବଂ ବିଏସ୍‌ପି ପରି ଦଳଗୁଡ଼ିକର ଭୂମିକା ମଧ୍ୟ ଏହି ବିଲ୍‌ଗୁଡ଼ିକର ଭବିଷ୍ୟତ ନିର୍ଣ୍ଣୟରେ ଗୁରୁତ୍ୱପୂର୍ଣ୍ଣ ହେବ। ଏଭଳି ସ୍ଥିତିରେ ବର୍ଷାକାଳୀନ ଅଧିବେଶନରେ ପ୍ରତ୍ୟେକ ଭୋଟ, ସମର୍ଥନ ଓ ବିରତି ସରକାରଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ବିଲ୍‌ର ଭାଗ୍ୟ ନିର୍ଣ୍ଣୟ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ