AI ହିଁ ଭବିଷ୍ୟତର ଏକମାତ୍ର ପ୍ରଯୁକ୍ତି; ଅନ୍ୟ ସବୁକୁ ବଦଳାଇଦେବ AI: ଶ୍ରୀଧର ୱେମ୍ବୁ
ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତା (AI) ଆଗାମୀ ଦିନରେ ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିରେ ପରିଣତ ହେବ ବୋଲି ମତ ରଖିଛନ୍ତି Zohoର ସହ-ପ୍ରତିଷ୍ଠାତା ଓ ପୂର୍ବତନ ସିଇଓ ଶ୍ରୀଧର ୱେମ୍ବୁ। ସୋସିଆଲ ମିଡିଆ ‘X’ରେ ସେ କହିଛନ୍ତି ଯେ, AI ଏତେ ଶକ୍ତିଶାଳୀ ହେବ ଯେ ଅନ୍ୟ ସମସ୍ତ ପ୍ରଯୁକ୍ତିକୁ ନିଜ ମଧ୍ୟରେ ସାମିଲ କରି ନୂଆ ରୂପ ଦେଇପାରିବ। ତାଙ୍କ ମତରେ ଜଳବାୟୁ ପରିବର୍ତ୍ତନ, କ୍ୟାନ୍ସର ଚିକିତ୍ସା, ସହରରେ ଘର ସମସ୍ୟା ଭଳି ବଡ଼ ବଡ଼ ଚ୍ୟାଲେଞ୍ଜର ସମାଧାନରେ AI ମୁଖ୍ୟ ଭୂମିକା ନେଇପାରିବ।
ୱେମ୍ବୁ ଆହୁରି କହିଛନ୍ତି, ଯଦି ଏହି ଧାରଣା ସତ ହୁଏ, ତେବେ ଭବିଷ୍ୟତରେ କାମ କରିବାକୁ ଯୋଗ୍ୟ ଏକମାତ୍ର କ୍ଷେତ୍ର ହେବ AI। ଯୁଦ୍ଧକୁ ମଧ୍ୟ AI ଶେଷ କରିପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ, ଯଦିଓ ଏହାକୁ ସେ ହାସ୍ୟାତ୍ମକ ଭାବେ ନିଜର “ହାଲୁସିନେସନ୍” ବୋଲି ଉଲ୍ଲେଖ କରିଛନ୍ତି। ତାଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ୱେମ୍ବୁଙ୍କ ମତ ସହ ସମସ୍ତେ ଏକମତ ନୁହଁନ୍ତି। ଅନେକ ବ୍ୟବହାରକାରୀ କହିଛନ୍ତି ଯେ ବର୍ତ୍ତମାନର AI ମୁଖ୍ୟତଃ ମଣିଷ ଦେଇଥିବା ତଥ୍ୟକୁ ପୁନଃ ଉପସ୍ଥାପନ କରୁଛି ଏବଂ ବଡ଼ ସମସ୍ୟାର କୌଣସି ଯୁଗାନ୍ତକାରୀ ସମାଧାନ ଏପର୍ଯ୍ୟନ୍ତ ଦେଇପାରିନାହିଁ। ଅନ୍ୟ କେତେକଙ୍କ ମତରେ AI ନିଶ୍ଚିତ ଭାବେ ପ୍ରଭାବଶାଳୀ, କିନ୍ତୁ ଏହା ଏପର୍ଯ୍ୟନ୍ତ ଦୀର୍ଘ ଯାତ୍ରାର ଆରମ୍ଭ ପର୍ଯ୍ୟାୟରେ ରହିଛି।

