IAS ଅଫିସର ବୋଲି ବିବାହ କଲେ, ସୁହାଗରାତ ପୂର୍ବରୁ ୧ କୋଟିରୁ ଅଧିକ ଟଙ୍କାର ଗହଣା-ନଗଦ ନେଇ ଫେରାର
ବରେଲୀ: ଉତ୍ତରପ୍ରଦେଶର ବରେଲୀରେ ଏକ ଚାଞ୍ଚଲ୍ୟକର ବିବାହ ଠକେଇ ଘଟଣା ସାମ୍ନାକୁ ଆସିଛି। ନିଜକୁ IAS ଅଧିକାରୀ ବୋଲି ପରିଚୟ ଦେଇ ଜଣେ ଯୁବକଙ୍କୁ ବିବାହ କରିଥିବା ମହିଳା ସୁହାଗରାତ ପୂର୍ବରୁ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା, ହୀରା ଗହଣା, ନଗଦ ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ନେଇ ଫେରାର ହୋଇଯାଇଥିଲେ। ପୁଲିସ ଅଭିଯୁକ୍ତା ସାଧନାଙ୍କୁ ଗିରଫ କରିଛି।
ପୁଲିସ ସୂଚନା ଅନୁସାରେ, ବୁଦାଉନ ଜିଲ୍ଲାର ବାସିନ୍ଦା ସାଧନା ସୋସିଆଲ ମିଡିଆରେ ଏକ ନକଲି ପ୍ରୋଫାଇଲ୍ ମାଧ୍ୟମରେ ନିଜକୁ IAS ଅଫିସର ବୋଲି ପରିଚୟ ଦେଇ ବରେଲୀର ଫରିଦପୁର ଅଞ୍ଚଳର ଅଭିଷେକଙ୍କ ସହ ପରିଚିତ ହୋଇଥିଲେ। ଦୁହିଁ ପରିବାରର ସମ୍ମତିରେ ବିବାହ ହୋଇଥିଲା। ବିବାହ ପରେ ଶ୍ୱଶୁର ଘରେ ସାଧନାଙ୍କୁ ବହୁ ପରିମାଣର ସୁନା, ରୂପା ଓ ହୀରା ଗହଣା ଉପହାର ଦିଆଯାଇଥିଲା।
ଅଭିଯୋଗ ଅନୁଯାୟୀ, ବିବାହ ରାତିରେ ସ୍ୱାମୀ ଶୋଇପଡ଼ିବା ପରେ ସାଧନା ସମସ୍ତ ଗହଣା, ନଗଦ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ନେଇ ଫେରାର ହୋଇଯାଇଥିଲେ। ପରେ ବରପକ୍ଷର ଅଭିଯୋଗ ଆଧାରରେ ପୁଲିସ ସାଧନା, ତାଙ୍କ ବାପା ଓ ପରିବାରର ଆଉ ଦୁଇଜଣଙ୍କ ବିରୋଧରେ ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଏହି ଠକେଇ ପଛରେ ଆଉ କୌଣସି ସଂଗଠିତ ଚକ୍ର ରହିଛି କି ନାହିଁ, ସେନେଇ ପୁଲିସ ଖୋଳତାଡ଼ କରୁଛି।

