ରାସ୍ତା ଉପରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ପୂର୍ବ ଶତ୍ରୁତା ସନ୍ଦେହ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ଯୋଡ଼ା ପୌରାଞ୍ଚଳର ୯ ନମ୍ବର ୱାର୍ଡ ପାତ୍ରସାହିରେ ଗୁରୁବାର ରାତି ପ୍ରାୟ ୮ଟା ସମୟରେ ଏହି ଘଟଣା ଘଟିଛି। ଆହତ ଯୁବକ ହେଲେ ଭୋଲାସାହିର ୩୬ ବର୍ଷୀୟ ବିଷ୍ଣୁ ନାଗ।
ରକ୍ତାକ୍ତ ଅବସ୍ଥାରେ ବିଷ୍ଣୁ ରାସ୍ତା କଡ଼ରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଯୋଡ଼ାସ୍ଥିତ ଟାଟା ମେନ୍ ହସ୍ପିଟାଲକୁ ନେଇଥିଲେ। ତାଙ୍କ ପିଠି, ଛାତି, କାନ୍ଧ, ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଆକ୍ରମଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଯୋଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସହ ଆକ୍ରମଣକାରୀଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।

