Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାନ ହୁଣ୍ଡି ଚୋରି ପରେ ବଦଳିଲା ରାମ ମନ୍ଦିରର ନିୟମ; ଦୁଇ-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ, ପକେଟ୍‌ଥିବା ୟୁନିଫର୍ମକୁ ନା!

ଉତ୍ତରପ୍ରଦେଶ: ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ଦାନ ଚୋରି ଅଭିଯୋଗର ତଦନ୍ତ ଏବେ ବି ଜାରି ରହିଛି। ଏହି ଘଟଣା ପରେ ମନ୍ଦିର ପ୍ରଶାସନ ଦାନ ଗଣନା ପ୍ରକ୍ରିୟାକୁ ଆହୁରି କଡ଼ା କଡାକଡି କରିଛନ୍ତି । ନୂତନ ବ୍ୟବସ୍ଥା ଅନୁସାରେ ଦାନ ଗଣନା କେନ୍ଦ୍ରରେ ଦୁଇ-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ପୁଲିସ ସହ ଏକ ଘରୋଇ ସୁରକ୍ଷା ସଂସ୍ଥାର କର୍ମଚାରୀମାନଙ୍କୁ ମଧ୍ୟ ମୁତୟନ କରାଯାଇଛି। ଗଣନା କେନ୍ଦ୍ରକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ପ୍ରତ୍ୟେକ କର୍ମଚାରୀଙ୍କର କଡ଼ା ଯାଞ୍ଚ କରାଯାଉଛି।

ସୂଚନା ଅନୁଯାୟୀ, ତୀର୍ଥଯାତ୍ରୀ ସୁବିଧା କେନ୍ଦ୍ରର ବେସମେଣ୍ଟରେ ଥିବା ଦାନ ଗଣନା କକ୍ଷରେ ବର୍ତ୍ତମାନ ପ୍ରାୟ ୨୩ ଜଣ କର୍ମଚାରୀ କାମ କରୁଛନ୍ତି। ସେମାନଙ୍କୁ କେବଳ ନିର୍ଦ୍ଧାରିତ ନୀଳ ରଙ୍ଗର ପକେଟ୍‌ବିହୀନ ୟୁନିଫର୍ମ ପିନ୍ଧି ପ୍ରବେଶ କରିବାକୁ ଅନୁମତି ମିଳୁଛି। ମୋବାଇଲ୍ ଫୋନ୍ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ ସାମଗ୍ରୀ ଭିତରକୁ ନେବା ଉପରେ ସମ୍ପୂର୍ଣ୍ଣ ନିଷେଧ ଲାଗିଛି। ପ୍ରବେଶ ପୂର୍ବରୁ ପରିଚୟପତ୍ର ଯାଞ୍ଚ ସହ ମେସିନ୍ ଓ ମାନୁଆଲ୍ ସିକ୍ୟୁରିଟି ଚେକ୍ କରାଯାଉଛି। ପ୍ରତି ସିଫ୍ଟରେ ୬ରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ରହୁଛନ୍ତି।

ପ୍ରତିଦିନ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦାନ ଗଣନା କାର୍ଯ୍ୟ ଚାଲୁଥିବା ବେଳେ, କାମ ଶେଷ ହେବା ପରେ ଗଣନା କକ୍ଷକୁ ସିଲ୍ କରି ତାଲା ପକାଯାଉଛି। ରାତି ସାଢ଼େ ୮ଟା ପରେ ଏହି କକ୍ଷ ଖୋଲା ରହୁନାହିଁ। ଏଥିସହ କେନ୍ଦ୍ରକୁ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ, ମୋବାଇଲ୍ ନମ୍ବର ଓ ଠିକଣାର ସମ୍ପୂର୍ଣ୍ଣ ରେକର୍ଡ ସଂରକ୍ଷିତ କରାଯାଉଛି। ତେବେ ଏହି କଡ଼ା ସୁରକ୍ଷା ବ୍ୟବସ୍ଥାକୁ ନେଇ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ବିବୃତ୍ତି ଜାରି କରାଯାଇନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories