ଗଗନଯାନ ମିଶନକୁ ବଡ଼ ଝଟକା! ଇସ୍ରୋର ୧୦୦ରୁ ଅଧିକ ବୈଜ୍ଞାନିକଙ୍କ ଇସ୍ତଫା ପାଇଁ ଆବେଦନ !
ବାଙ୍ଗାଲୋର: ଭାରତର ମହତ୍ୱାକାଙ୍କ୍ଷୀ ମାନବ ମହାକାଶ ଯାତ୍ରା କାର୍ଯ୍ୟକ୍ରମ ‘ଗଗନଯାନ’ ସମେତ ଇସ୍ରୋର ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପକୁ ନେଇ ଚିନ୍ତା ବଢ଼ିଛି। ଗତ କିଛି ମାସ ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ୧୦୦ରୁ ଅଧିକ ବୈଜ୍ଞାନିକ ଓ ଇଞ୍ଜିନିୟର ଇସ୍ତଫା କିମ୍ବା ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବା ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି ଜାତୀୟ ଗୁରୁତ୍ୱର ମିଶନଗୁଡ଼ିକର କାର୍ଯ୍ୟ ପ୍ରଭାବିତ ନ ହେବା ପାଇଁ ମହାକାଶ ବିଭାଗ ପକ୍ଷରୁ ସମସ୍ତ ପ୍ରମୁଖ ଇସ୍ରୋ କେନ୍ଦ୍ରକୁ ଜରୁରୀ ନିର୍ଦ୍ଦେଶ ଜାରି କରାଯାଇଛି |
ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଗ୍ରୁପ୍ ‘ଏ’ ବର୍ଗର ବୈଜ୍ଞାନିକ ଓ ବୈଷୟିକ କର୍ମଚାରୀଙ୍କ ଇସ୍ତଫା କିମ୍ବା ସ୍ୱେଚ୍ଛାକୃତ ଅବସର ଆବେଦନକୁ ଆଉ ସହଜରେ ମଞ୍ଜୁର କରାଯିବ ନାହିଁ। ପ୍ରତ୍ୟେକ ଆବେଦନ ସମ୍ପୃକ୍ତ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସୁପାରିଶ ସହ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ସିଧାସଳଖ ମହାକାଶ ବିଭାଗକୁ ପଠାଯିବ। ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁସ୍ଥିତ “ୟୁ.ଆର. ରାଓ ସାଟେଲାଇଟ୍ ସେଣ୍ଟର”ରୁ ପ୍ରାୟ ୮୦ ଜଣ ଏବଂ ଥିରୁବନନ୍ତପୁରମସ୍ଥିତ ”ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର”ରୁ ପ୍ରାୟ ୨୦ ଜଣ ବୈଜ୍ଞାନିକ ଚାକିରି ଛାଡ଼ିବାକୁ ନୋଟିସ୍ ଦେଇଛନ୍ତି।
ଏହି ପ୍ରସଙ୍ଗରେ ଇସ୍ରୋ ଅଧ୍ୟକ୍ଷ “ଭି. ନାରାୟଣ” କହିଛନ୍ତି ଯେ, କୌଣସି ସଂଗଠନରେ କର୍ମଚାରୀଙ୍କ ଯୋଗଦାନ ଓ ଅବସର ଏକ ସାଧାରଣ ପ୍ରକ୍ରିୟା। ତେବେ ଦେଶର ଗୁରୁତ୍ୱପୂର୍ଣ୍ଣ ମହାକାଶ ମିଶନଗୁଡ଼ିକ ଯେପରି ବାଧାପ୍ରାପ୍ତ ନହୁଅନ୍ତି, ସେଥିପାଇଁ ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ଆବଶ୍ୟକ ପଡ଼ିଲେ ଅନ୍ୟ ବୈଜ୍ଞାନିକଙ୍କୁ ଦାୟିତ୍ୱ ଦେଇ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ନିରନ୍ତର ଜାରି ରଖାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

